ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

Sep 11, 2026 - 17:03
ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ ନିକଟ ଜୟ ଗୋସାଈ ଆଗ୍ରୋ ଫୁଡସ ପ୍ରାଇଭେଟ ଲିମିଟେଡ ପରିସରରୁ ଜବତ କରାଯାଇଛି।

ଓଡ଼ି୧୪କେ-୮୪୪୭ ନମ୍ବର ବିଶିଷ୍ଠ ଟ୍ରକ୍‌ଟି ଏଫସିଆଇର ଏଲ-୨ ଠିକାଦାର ସନ୍ତୋଷ ଯାଦବଙ୍କ ବୋଲି ସୂଚନା ମିଳିଛି। ଲାଠିକଟାର ଶ୍ରୀ ମା ଦୁର୍ଗା ଫୁଡ ପ୍ରଡକ୍ଟ ଲଟ ନମ୍ବର-୩୦୭ ଚାଉଳ ଏଫସିଆଇକୁ ଯାଇଥିଲା। ସେଠାରୁ ଲାଠିକଟାର ଡିଲର୍‌ ଫୁଲେଶ୍ୱରି ଆଚାର୍ଯ୍ୟ ପାଖକୁ ଯିବା ପାଇଁ ଉକ୍ତ ଟ୍ରକରେ ୨୮୦ ବସ୍ତା ପିଡିଏସ୍‌ ଚାଉଳ ବୋଝେଇ କରାଯାଇଥିଲା।ହେଲେ ତାହା ଲାଠିକଟା ନ ଯାଇ କୁଆଁରମୁଣ୍ଡା ବିଜାବାହାଲ ଜୟ ଗୋସାଈ ଆଗ୍ରୋ ଫୁଡ୍ସ ପରିସରକୁ ଯାଇଥିଲା।

କୌଣସି ସୂତ୍ରରୁ ସୁନ୍ଦରଗଡ଼ ଏସ୍‌ପି ଅମ୍ରିତ ପାଲ କୌର ଖବର ପାଇ ସମ୍ପୃକ୍ତ ଚୋରା ଚାଲାଣ ଚାଉଳ ଗାଡ଼ିକୁ ଜବତ କରିବା ପାଇଁ ବୀରମିତ୍ରପୁର ପୋଲିସକୁ ସୂଚନା ଦେଇଥିଲେ। ବୀରମିତ୍ରପୁର ଏସଡିପିଓ ପୁଷ୍ପେନ୍ଦୁ ସାଗର, ଆଇଆଇସି ରାମ ପ୍ରସାଦ ନାଗ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି କୁଆଁରମୁଣ୍ଡା ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ଅଞ୍ଜଳି ହାସଦାଙ୍କ ଜିମା ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।