ପିତାମାତାଙ୍କ ସହ ଏକାଠି ରହିବାକୁ ବାଧ୍ୟ ନୁହେଁ ଝିଅ !
ନନ୍ଦିଘୋଷ ବ୍ୟୁରୋ: ପିତାମାତାଙ୍କ ସହ ଏକାଠି ରହିବାକୁ ଆଉ ଝିଅମାନଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ନିଜର ପ୍ରାପ୍ତବୟସ୍କ ଝିଅଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ସାଙ୍ଗରେ ରହିବାକୁ ବାପା ମାଆ ବାଧ୍ୟ କରିପାରିବେ ନାହିଁ । ଏଭଳି ଏକ ବଡ ନିଷ୍ପତ୍ତି ଏବେ ଶୁଣାଇଛନ୍ତି କୋର୍ଟ । ଆହ୍ଲାବାଦ ହାଇକୋର୍ଟ ଏକ ହେବିୟସ୍ କର୍ପସ ଆବେଦନକୁ ଖାରଜ କରି ଏଭଳି ରାୟ ଦେଇଛନ୍ତି । ଏକ ଆଦେଶରେ ଜଷ୍ଟିସ ସନ୍ଦିପ ଜୈନ କହିଛନ୍ତି ଯେ, ଜଣେ ସାବାଳକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଖାସ୍ ବ୍ୟକ୍ତିଙ୍କ ସହ ରହିବାକୁ ଏଥିପାଇଁ ବାଧ୍ୟ କରାଯାଇପାରିବ ନାହିଁ କି ସେମାନେ ତାଙ୍କ ପିତାମାତା । ଏହାସହ ପିତାମାତା ତାଙ୍କ ପ୍ରାପ୍ତବୟସ୍କ ଝିଅକୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ରହିବାକୁ ଏଭଳି ଆବେଦନ ଦାଖଲ କରିପାରିବେ ନାହିଁ ବୋଲି କୋର୍ଟ ଶୁଣାଇଦେଇଛନ୍ତି ।
ଏହି ମାମଲାରେ କଳାବତୀ ଦେବୀ ନାମକ ଜଣେ ମହିଳା କୋର୍ଟରେ ହେବିୟସ୍ କର୍ପସ ଆବେଦନ ଦାୟର କରିଥିଲେ । ଯାହାକୁ ଜର୍ଜ ଖାରଜ କରିଦେଇଛନ୍ତି । ଏହି ଆବେଦନରେ ତାଙ୍କ ୨୫ ବର୍ଷୀୟ ଝିଅଙ୍କୁ କୋର୍ଟରେ ହାଜର ହେବାକୁ ଅନୁରୋଧ କରାଯାଇଥିଲା । ଯାହାପରେ ୧୭ ଅଗଷ୍ଟ ୨୦୨୬ରେ କୋର୍ଟ ତାଙ୍କ ଝିଅକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ କୋର୍ଟରେ ଝିଅକୁ ହାଜର କରାଯାଇଥିଲା । ଆଉ କୋର୍ଟଙ୍କ ସହିତ କଥାବାର୍ତ୍ତା ସମୟରେ ମହିଳାଙ୍କ ଝିଅ ପୂଜା କହିଥିଲେ ଯେ, ସେ ନିଜ ଇଚ୍ଛାରେ ଦିଲ୍ଲୀରେ ସ୍ବାଧୀନ ଭାବରେ ରହୁଛନ୍ତି ଏବଂ କୌଣସି ବେଆଇନ୍ ଓ ଅବୈଧ ଭାବରେ ଅଟକ ନାହାନ୍ତି । ଏହାସହ ସେ ସଫା ସଫା କହିଦେଇଥିଲେ ଯେ ସେ ତାଙ୍କ ମା’ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ସେ ଅଭିଯୋଗ କରିଥିଲେ ଯେ ତାଙ୍କ ମାଆ ତାଙ୍କୁ ଭଲ ବ୍ୟବହାର ଦେଖାନ୍ତି ନାହିଁ ଏବଂ ତାଙ୍କ ନିଜ ବାପଘରେ ତାଙ୍କୁ ଖରାପ ବ୍ୟବହାର ସହ ନିର୍ଯ୍ୟାତନା ଦିଆଯାଉଥିଲା । ଅନ୍ୟପଟେ ତାଙ୍କ ମା‘, ଝିଅର ଏଭଳି ଅଭିଯୋଗ ଅସ୍ବୀକାର କରିବା ସହ ଝିଅ ତାଙ୍କ ସହ ନିଜ ବାପଘରେ ରହୁ ବୋଲି ଚାହୁଁଥିଲେ । ହେଲେ କୋର୍ଟ ଝିଅର ବୟାନକୁ ବିଚାର କରି କହିଥିଲେ ଯେ, ଝିଅ ସାବାଳକ ଏବଂ ସକ୍ଷମ । ତେଣୁ ସେ ନିଜ ପସନ୍ଦର ବ୍ୟକ୍ତିଙ୍କ ସହ ନିଜ ଇଚ୍ଛା ମୁତାବକ ଜାଗାରେ ରହିବାକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନ । ଏହା କହି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।