ପୀତବାସ ହତ୍ୟା ମାମଲା: ବିକ୍ରମଙ୍କୁ ହାଇକୋର୍ଟଙ୍କ ଜାମିନ, ଗିରଫଦାରୀ ବ୍ୟବସ୍ଥା ଉଲ୍ଲଂଘନ ନେଇ କ୍ଷୁବ୍ଧ
କଟକ/ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିିଛନ୍ତି। ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର ଆଧାର/କାରଣ ସଂକ୍ରାନ୍ତରେ ଗିରଫ ବେଳେ ଅବଗତ କରାଯାଇ ନଥିଲା ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଗିରଫ କରିଥିବା ଅଧିକାରୀ ଏହି ପ୍ରସଙ୍ଗରେ ଆଇନରେ ଥିବା ବ୍ୟବସ୍ଥା ପାଳନ କରି ନଥିଲେ। ସମ୍ବିଧାନର ଧାରା ୨୧(୧) ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୪୭ ଓ ୪୮ରେ ରହିଥିବା ବ୍ୟବସ୍ଥା ଅନୁସାରେ ତଥା ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଶ୍ରୀ ପଣ୍ଡାଙ୍କୁ ଗିରଫଦାରୀର କାରଣ ସଂକ୍ରାନ୍ତରେ ଅବଗତ କରାଯାଇ ନଥିଲା। ଏହା ସମ୍ବିଧାନର ଧାରା ୨୨(୧)ରେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ଏପରି ଗିରଫଦାରୀ ଅବୈଧ ହୋଇଥିବାରୁ ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନରେ ଛାଡ଼ିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଭିହାନ କୁମାର ଓ ମିହିର ରାଜେଶ ଶାହା ମାମଲାର ରାୟ ପରେ ମଧ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ବେଳେ ପୁଲିସ ପ୍ରଶାସନ ବାଧ୍ୟତାମୂଳକ ଆଇନଗତ ବ୍ୟବସ୍ଥା ଠିକ୍ ଭାବେ ପାଳନ କରୁ ନାହିଁ। ତେଣୁ ଏହି ରାୟର ନକଲ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟର ନକଲ ପାଇବା ପରେ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ରାୟରେ ରହିଥିବା ନିର୍ଦ୍ଦେଶନାମା ଓ ମାର୍ଗଦର୍ଶିକା ସଂକ୍ରାନ୍ତରେ ରାଜ୍ୟର ସମସ୍ତ ପୁଲିସ ଥାନାକୁ ଅବଗତ କରିବେ।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ଗୃହ ବିଭାଗ ଅତିରିକ୍ତ ମୁଖ୍ୟସଚିବ ଓ ଡିଜିଙ୍କୁ ତାଗିଦ୍
ଏଥି ସହିତ ଆଇନ ଅନୁସାରେ ଗିରଫ ପାଇଁ କ୍ଷମତା ରହିଥିବା ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଏ ନେଇ ଅବଗତ କରାଯିବ। ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ବେଳେ ଓ ତାଙ୍କ ସ୍ବାଧୀନତାକୁ ସଂକୁଚିତ କରିବା ବେଳେ ନିର୍ଦ୍ଦେଶନାମା ପାଳନ ପାଇଁ ଆଦେଶ ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଜାମିନ ପାଇଁ ବଣ୍ଡ୍ ଆବେଦନକାରୀ ଦାଖଲ କରିବେ। ଅତିରିକ୍ତ ଦୌରା ଜଜ୍ ଅଦାଲତ ଜାମିନ ସର୍ତ୍ତ ଧାର୍ଯ୍ୟ କରିବେ। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ପୀଡ଼ିତ ପରିବାର, ଏତଲାକାରୀ ଓ ଅନ୍ୟ ପ୍ରସିକ୍ୟୁସନ ସାକ୍ଷୀଙ୍କୁ ନିର୍ଯାତନା, ଧମକ ଓ ଭୟଭୀତ କରିବା ଭଳି କୌଣସି ପ୍ରକାର କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ ବାତିଲ ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ୨୦୨୫ ଅକ୍ଟୋବର ୬ ରାତିରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।
Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ
ଏହି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ୨୦୨୫ ଅକ୍ଟୋବର ୨୨ରେ ଗିରଫ କରିଥିଲା। ୨୦୨୬ ଜାନୁଆରି ୩ରେ ମାମଲାରେ ପ୍ରଥମିକ ଚାର୍ଜସିଟ୍ ଦାଖଲ ହୋଇଥିଲା। ଚଳିତବର୍ଷ ଜୁଲାଇ ପହିଲାରେ ବିକ୍ରମଙ୍କ ସମେତ ୧୪ ଅଭିଯୁକ୍ତଙ୍କ ନାଁରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏଥିରେ ପୁଲିସ ସମସ୍ତଙ୍କ ବିରୋଧରେ ହତ୍ୟା, ଷଡ଼୍ଯନ୍ତ୍ର, ପ୍ରମାଣ ନଷ୍ଟ ଓ ସଂଗଠିତ ଅପରାଧ ଭଳି ସଙ୍ଗିନ ଦଫା ଲଗାଇଥିଲା। ବିକ୍ରମଙ୍କୁ ମୁଖ୍ୟ ଷଡ୍ଯନ୍ତ୍ରକାରୀ ବୋଲି ଦର୍ଶାଯାଇଥିଲା। ଏହାସହ ଡିଜିଟାଲ୍ ପ୍ରମାଣ ବି ଦାଖଲ କରିଥିଲା ପୁଲିସ। ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ପଣ୍ଡାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ସୁବିର ପାଲିତ ମାମଲା ପରିଚାଳନା କରୁଥିଲେ। ଅନ୍ୟପକ୍ଷରେ ବିକ୍ରମଙ୍କ ବାପା କିଶୋର ପଣ୍ଡା କହିଛନ୍ତି ‘୧୦ ମାସ ପରେ ପୁଅକୁ ଦେଖିବି। ମୋର ନିର୍ଦ୍ଦୋଷ ପୁଅକୁ ଷଡ୍ଯନ୍ତ୍ର କରି ଫସାଯାଇଥିଲା। ଏହାକୁ ନ୍ୟାୟପାଳିକା ହୃଦ୍ବୋଧ କରିଥିବାରୁ ସାଧୁବାଦ ଜଣାଉଛି।’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।