ପୁରୀ ରେ ପର୍ଯ୍ୟଟକଙ୍କୁ ନିସ୍ତୁକ ମାଡ଼ ମାରିଲେ ହୋଟେଲ କର୍ମଚାରୀ
ପୁରୀ : ବର୍ବରତାର ସୀମା ଟପିଲେ ହୋଟେଲ କର୍ମଚାରୀ । ବାସି ଖାଦ୍ୟ କହିବାରୁ ପର୍ଯ୍ୟଟକଙ୍କୁ ହୋଟେଲ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକରୁ ଆସିଥିବା ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ହୋଟେଲର ସଟର ବନ୍ଦ କରି କର୍ମଚାରୀ ମାନେ ନିର୍ଦ୍ଧୁମ ମାଡ଼ ମାରିଥିବା ସୂଚନା ମିଳିଛି ।
ଏହି ଘଟଣା ପରେ ଜୀବନରେ କେବେ ପୁରୀ ଆସିବେନି ବୋଲି କାନ୍ଦି କାନ୍ଦି କହିଛନ୍ତି ଗର୍ଭବତୀ ଥିବା ମହିଳା ଜଣକ । ଗର୍ଭବତୀ ଜାଣିବି ରେସ୍ତୋରାଁ ସଟର ବନ୍ଦ କରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଗାଲ, କାନ ଓ ଏକାଧିକ ସ୍ଥାନରେ ହୋଇଛି କ୍ଷତ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ଘଟଣା ଅନୁସାରେ, ମହୀଶୂରରୁ ଆସିଥିବା ସୁସ୍ମିତା ଓ ତାଙ୍କ ପରିବାର ଓ ସମ୍ପର୍କୀୟ ମିଶି ପ୍ରାୟ ୧୩ ଜଣ ପୁରୀ ଆସିଥିଲେ । ଗତକାଲି ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳର ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ସେଠାରେ ଖାଦ୍ୟରେ ଚୁଟି ବାହାରି ଥିଲା ଏବଂ ନିମ୍ନ ମାନର ଖାଦ୍ୟକୁ ନେଇ ଖାଇବା ବଦଳାଇବାକୁ ହୋଟେଲ କର୍ମଚାରୀଙ୍କୁ କହିଥିଲେ ପର୍ଯ୍ୟଟକ। ତେବେ ଖାଇବା ବଦଳରେ ପୁଣି ଥରେ ପଇସା ଦେଲେ ଆଉ ଖାଦ୍ୟ ପରସିବେ ବୋଲି ଜିଦି ଧରିଥିଲେ ହୋଟେଲ କର୍ମଚାରୀ । ପର୍ଯ୍ୟଟକମାନେ ପ୍ରଥମେ ଖାଦ୍ୟ ଦେବା ପରେ ଟଙ୍କା ଦେବେ ବୋଲି କହିଥିଲେ । କିନ୍ତୁ କର୍ମଚାରୀମାନେ ତାହା ନଶୁଣି ପ୍ରଥମେ ଟଙ୍କା ମାଗିଥିଲେ ଏବଂ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ବଢ଼ିଯାଇଥିଲା ।
ପରେ ପ୍ରତିବାଦରେ ମହିଳା ଜଣଙ୍କ ଭିଡିଓ କରିଥିଲେ । ଏଥିରେ ହୋଟେଲ କର୍ମଚାରୀ ଉତକ୍ଷିପ୍ତ ହୋଇ ହୋଟେଲର ସଟର ବନ୍ଦକରି ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଗାଲ,ଓ ଏକାଧିକ ସ୍ଥାନରେ ଆଘାତ ଲାଗିଥିଲା । ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସହ ଏଭଳି ଦୁର୍ବ୍ୟବହାର ଓ ମାଡ଼ପିଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।