ପୁରୁଷ ବ୍ୟାଡ୍ମିଣ୍ଟନରେ ଭାରତକୁ କାଂସ୍ୟ
ନାଗୋୟା: ଏସୀୟ କ୍ରୀଡ଼ାରେ ପୁରୁଷ ବ୍ୟାଡ୍ମିଣ୍ଟନରେ ଭାରତ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ବୁଧବାର ପୁରୁଷ ଦଳଗତ ସେମିଫାଇନାଲରେ ଭାରତ ୧-୩ ଗେମ୍ରେ ଚୀନ୍ ନିକଟରୁ ପରାଜିତ ହୋଇଛି। ଏସୀୟ କ୍ରୀଡ଼ାର ନିୟମାନୁଯାୟୀ ସେମିଫାଇନାଲରେ ପରାଜିତ ଦଳକୁ ମଧ୍ୟ କାଂସ୍ୟ ପଦକ ମିଳିଥାଏ। ଏହି ନିୟମାନୁଯାୟୀ ଭାରତ କାଂସ୍ୟ ପଦକ ଜିତିଛି। ଏସୀୟ କ୍ରୀଡ଼ାରେ ପୁରୁଷ ଯୁଗଳରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତ ସେମିଫାଇନାଲର ପ୍ରଥମ ମ୍ୟାଚରେ ପୁୂରୁଷ ଏକକରେ ଲକ୍ଷ୍ୟ ସେନ୍ ୧୬-୨୧ ଓ ୧୮-୨୧ରେ ସି ୱିକିଙ୍କ ନିକଟରୁ ପରାଜିତ ହୋଇଥିଲେ। ଯୁଗଳରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ଯୋଡ଼ି ୨୧-୧୧ ଓ ୨୨-୨୦ରେ ଲିୟାଙ୍ଗ ୱେଲକିଙ୍ଗ୍-ୱାଙ୍ଗ ଚାଙ୍ଗ ଯୋଡ଼ିଙ୍କୁ ପରାସ୍ତ କରି ମ୍ୟାଚକୁ ୧-୧ ବରାବର କରିଥିଲେ। ତୃତୀୟ ମ୍ୟାଚରେ ପୁରୁଷରେ ଆୟୁଷ ସେଟ୍ଟି ୧୯-୨୧ ଓ ୧୩-୨୧ରେ ଲି ସିଫିଙ୍ଗଙ୍କ ନିକଟରୁ ପରାଜିତ ହୋଇଥିଲେ। ଚୀନ ୨-୧ ରେ ଆଗୁଆ ରହିଥିବାରୁ ଭାରତକୁ ମ୍ୟାଚକୁ ବଞ୍ଚାଇବା ଲାଗି ଚତୁର୍ଥ ମ୍ୟାଚ ଜିତିବା ଏକାନ୍ତ ଆବଶ୍ୟକତା ଥିଲା। ଚତୁର୍ଥ ମ୍ୟାଚରେ ଯୁଗଳରେ ହରିହରନ କରୁଣାକରନ-ଏମ୍ ଆର ଅର୍ଜୁନ ଯୋଡ଼ି ୧୬-୨୧ , ୨୧-୧୭ ଓ ୯-୨୧ରେ ହି ଜିଟିଙ୍ଗ-ଲିଉ ୱିଙ୍କ ନିକଟରୁ ପରାଜିତ ହୋଇଥିଲେ। ଚୀନ୍ ୩-୧ରେ ଜିତି ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ବିଦାୟ ନେଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।