ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

Sep 23, 2026 - 21:37
ପାଟଣା : ବିଭିନ୍ନ ଲୋକଙ୍କ ଠାରୁ ଫୋନ୍ ପେ ଏବଂ ହାତା ହାତି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ପାଟଣା ଥାନା ଅଞ୍ଚଳ କୁଣ୍ଡୁଳା ଏମ କେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲସରେଇ ଗ୍ରାମର ତାରାଚାନ୍ଦ ମହାନ୍ତ (୫୯) ଙ୍କୁ ରରୁଆଁ ପୁଲିସ  ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଶ୍ରୀ ମହାନ୍ତ ୩ ବର୍ଷ ହେଲା ବିଦ୍ୟାଳୟକୁ ପାଠ ପଢ଼ାଇବାକୁ ଆସୁନଥିବା ବେଳେ ମଝିରେ ମଝିରେ ଆସି ଉପସ୍ଥାନ ଖାତାରେ ଦସ୍ତଖତ ମାରି ଦେଇ ତାଙ୍କ କରଞ୍ଜିଆ ବାସ ସ୍ଥଳକୁ ଚାଲି ଯାଇଥାନ୍ତି। ସେ ବିଭିନ୍ନ ଲୋକଙ୍କୁ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ରହିଛି। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାରେ ସେହି ଅଞ୍ଚଳର ଜାମୁତି ଗ୍ରାମର ବାସିନ୍ଦା ସୁଶୀଲ ଚନ୍ଦ୍ର ମହାନ୍ତଙ୍କ ଠାରୁ ସେ ଚାକିରି କରାଇଦେବା କହି ୫୦ ହଜାର ଟଙ୍କା ନେଇ ଆଉ ଧରା ଛୁଆଁ ନଦେବାରୁ ସେ ରରୁଆଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରରୁଆଁ ଥାନା ରେ ୮୦/୨୦୨୬ ମୂଳେ ମାମଲା ରୁଜୁ କରାଯାଇଥିଲା।  ରରୁଆଁ ପୁଲିସ ଆଜି ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ ସେହି ରରୁଆଁ ଥାନା ରେ ଶ୍ରୀ ମହାନ୍ତଙ୍କ ନାମ ରେ ଗତକାଲି ଶରଧା ଗ୍ରାମର ରଞ୍ଜିତ୍ ନାଏକ ନାମକ ଜଣେ ବ୍ୟକ୍ତି ଠକେଇ ଅଭିଯୋଗ ଆଣିବା ପରେ ଏହା ମଧ୍ୟ ବିଚାରଧୀନ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।