ପୁରୁଷ, ମହିଳା ହକି ବିଶ୍ବକପ୍‌ରେ ନୂଆ ନିୟମ ; ଲିଗ୍‌ ପର୍ଯ୍ୟାୟର ପଏଣ୍ଟ ୨ୟ ରାଉଣ୍ଡକୁ ଯିବ

Aug 12, 2026 - 13:30

ନୂଆଦିଲ୍ଲୀ : ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ନେଦରଲାଣ୍ଡ୍‌‌ସ ଓ ବେଲ୍‌ଜିୟମରେ ୨୦୨୬ ଏଫ୍‌‌ଆଇଏଚ୍‌‌ ହକି ବିଶ୍ବକପ୍‌‌ ଖେଳାଯିବ। ଏକାସାଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ୍‌ ଖେଳାଯାଉଛି। ଏହି ବିଶ୍ବକପ୍‌ ନୂଆ ଫର୍ମାଟ‌େ‌ର ଖେଳାଯିବ। ସମସ୍ତ ଦଳ ପ୍ରଥମ ରାଉଣ୍ଡ ବା ଲିଗ୍‌ ପର୍ଯ୍ୟାୟର ପଏଣ୍ଟ ୨ୟ ରାଉଣ୍ଡକୁ ନେବେ। ଉଭୟ ବିଭାଗରେ ୧୬ଟି ଲେଖାଏଁ ଦଳ ଖେଳିବେ। ସେମାନଙ୍କୁ ୪ଟି ପୁଲ୍‌‌ରେ ରଖାଯାଇଛି। ପୁଲ୍‌‌ ବା ଲିଗ୍‌ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍‌‌ ଭିତ୍ତିରେ ମୁକାବିଲା ହେବ। ୪ଟି ପୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ୨ୟ ରାଉଣ୍ଡକୁ ଯିବେ। ଏହି ୮ଟି ଦଳ ପ୍ରଥମ ରାଉଣ୍ଡରେ ପାଇଥିବା ପଏଣ୍ଟ ୨ୟ ରାଉଣ୍ଡରେ ଗଣନା କରାଯିବ। ଫଳରେ ସମସ୍ତ ମ୍ୟାଚ୍‌ ପ୍ରତି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯିବ। ପୁଲ୍‌ ‘ଏ’ ଓ ‘ଡି’ର ପ୍ରଥମ ୨ଟି ଦଳ ପୁଲ୍‌ ‘ଇ’ ଏବଂ ପୁଲ୍‌ ‘ବି’ ଓ ‘ସି’ର ପ୍ରଥମ ୨ଟି ଦଳ ପୁଲ୍‌ ‘ଏଫ୍‌’ରେ ରହିବେ। ଏହି ପର୍ଯ୍ୟାୟରେ ସମସ୍ତ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରଥମ ରାଉଣ୍ଡରେ ଖେଳିଥିବା ଦଳ ବିପକ୍ଷରେ କୌଣସି ଦଳ ମ୍ୟାଚ୍‌ ଖେଳିବେ ନାହିଁ। ୨ୟ ରାଉଣ୍ଡର ପଏଣ୍ଟ ଓ ଲିଗ୍‌ ପର୍ଯ୍ୟାୟର ପଏଣ୍ଟକୁ ମିଶାଇବା ପରେ ପୁଲ୍‌ ‘ଇ’ ଓ ପୁଲ୍‌ ‘ଏଫ୍‌’ରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ୩ୟ ସ୍ଥାନରେ ଥିବା ଦୁଇ ଦଳ ୫ମ ଓ ୬ଷ୍ଟ ସ୍ଥାନ ପାଇଁ ଏବଂ ୪ର୍ଥ ସ୍ଥାନରେ ଥିବା ଦୁଇ ଦଳର ୭ମ ଓ ୮ମ ସ୍ଥାନ ପାଇଁ ମ୍ୟାଚ୍‌ ଖେଳିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।