ପୂର୍ବତନ ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର ପର୍ତ୍ତୁଗାଲର ଅଧିନାୟକ
ଲିସ୍ବନ, ୧୧ା୮: ଅଷ୍ଟ୍ରେଲିଆର ପୂର୍ବତନ ଅଲ୍ରାଉଣ୍ଡର ମୋଇଜେସ୍ ହେନ୍ରିକ୍ସ ପର୍ତ୍ତୁଗାଲ କ୍ରିକେଟ୍ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ହେନ୍ରିକ୍ସଙ୍କ ନେତୃତ୍ବରେ ପର୍ତ୍ତୁଗାଲ ୨୦୨୮ ଟ୍ବେଣ୍ଟି୨୦ ବିଶ୍ବକପ୍ର ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୧୪ରୁ ୨୦ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ପର୍ତ୍ତୁଗାଲ ସହ ଜର୍ମାନୀ, ଇସ୍ରାଏଲ୍, ଗ୍ରୀସ୍ ଓ ଚେକିଆ ଖେଳିବେ। ଏହି ଗ୍ରୁପ୍ର ବିଜେତା ଗ୍ରୁପ୍ ‘ଏ’ର ବିଜେତା ଦଳ ବିପକ୍ଷରେ ଅଗଷ୍ଟ ୨୧ରେ ଖେଳିବ। ଏହାର ବିଜୟ ପରବର୍ତ୍ତୀ ପର୍ଯ୍ୟାୟ ଖେଳିବ। ପର୍ତ୍ତୁଗାଲ୍ ଦଳରେ ଅଧିକାଂଶ ଭାରତ ଓ ପାକିସ୍ତାନ ବଂଶଜ ଖେଳାଳି ଅଛନ୍ତି। ହେନ୍ରିକ୍ସ ଗତମାସରେ ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ୩୯ ବର୍ଷ ବୟସ୍କ ହେନ୍ରିକ୍ସ ଅଷ୍ଟ୍ରେଲିଆ ପାଇଁ ୪ଟି ଟେଷ୍ଟ, ୧୬ଟି ଦିନିକିଆ ଓ ୨୪ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ଗତ ୫ ବର୍ଷ ହେଲା ହେନ୍ରିକ୍ସଙ୍କୁ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ମିଳିନଥିଲା। ପର୍ତ୍ତୁଗାଲ ହେଉଛି ହେନ୍ରିକ୍ସଙ୍କ ଜନ୍ମମାଟି। ହେନ୍ରିକ୍ସ ପର୍ତ୍ତୁଗାଲ୍ର ମାଡେଇରା ଦ୍ବୀପରେ ଜନ୍ମଗ୍ରହଣ କରିଥିଲେ। ସେ ସିଡ୍ନୀ ସିକ୍ସର୍ସ ପାଇଁ ବିବିଏଲ୍ ଏବଂ ନ୍ୟୁ ସାଉଥ୍ ୱେଲ୍ସ ପାଇଁ ଲିଷ୍ଟ-ଏ କ୍ରିକେଟ୍ ଖେଳିବା ସହ ଆଇପିଏଲ୍ ମଧ୍ୟ ଖେଳିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।