ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

Aug 16, 2026 - 10:25
ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!
କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬ ଅଗଷ୍ଟ ୨୦୨୬) ସକାଳେ ତାଙ୍କ ଘର ନିକଟରେ ଥିବା ପାର୍ଟି ଅଫିସରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ପୋଲିସ ଶବକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସର ସୂଚନାନୁସାରେ, ରାମପୁରହାଟର ହଟ୍ଟାଲାପଡ଼ା ଅଞ୍ଚଳରେ ଥିବା ତାଙ୍କ ଘର ନିକଟସ୍ଥ ଟିଏମସି (TMC) କାର୍ଯ୍ୟାଳୟରୁ ଆଶିଷ ବାନାର୍ଜୀଙ୍କ ଶବ ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ କାର୍ଯ୍ୟାଳୟ ବାହାରେ ରୁଣ୍ଡ ହୋଇଥିଲେ। ପୋଲିସ ଘଟଣାସ୍ଥଳର ତଦନ୍ତ ଆରମ୍ଭ କରିଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ଶେଷ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଆଶିଷ ବାନାର୍ଜୀ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ରହିଥିଲେ। ସେ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବିଧାନସଭାର ଡେପୁଟି ସ୍ପିକର ମଧ୍ୟ ରହିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସେ କୃଷି ସମେତ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଥିଲେ। ୨୦୧୭ ରୁ ୨୦୨୧ ମଧ୍ୟରେ ସେ ରାଜ୍ୟର କୃଷିମନ୍ତ୍ରୀ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।