ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

Sep 04, 2026 - 23:33
ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆର ମୁକାବିଲା ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ବେଳେ ମ୍ୟାଚ୍‌ଗୁଡ଼ିକ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବ। ତେବେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକ ଓ ସମୀକ୍ଷକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି— ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଦଳ ପାଇଁ ଓପନିଂ ଦାୟିତ୍ୱ କିଏ ସମ୍ଭାଳିବେ? ଏହି ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ଭାରତୀୟ ୱିକେଟକିପର-ବ୍ୟାଟର- ପ୍ରସିଦ୍ଧ କମେଣ୍ଟେଟର ଦୀପ ଦାସଗୁପ୍ତା ସଞ୍ଜୁ ସାମସନଙ୍କ ନାମ ପ୍ରସ୍ତାବ କରିଛନ୍ତି।

ଅଭିଜ୍ଞ ୱିକେଟକିପର-ବ୍ୟାଟର ସଞ୍ଜୁ ସାମସନଙ୍କ ପାଇଁ ବିଗତ କିଛି ମ୍ୟାଚ୍‌ ଆଶାଜନକ ରହିନଥିଲା। ଟି-୨୦ ୱାର୍ଲ୍ଡ କପ୍ ୨୦୨୬ର ଅଭୂତପୂର୍ବ ସଫଳତା ପରେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟ୍‌ ଶାନ୍ତ ରହିଥିଲା, ଯାହା ଫଳରେ ସିରିଜ୍‌ ଅଧାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏପରିକି ଜିମ୍ବାବୱେ ଗସ୍ତ ପାଇଁ ମଧ୍ୟ ତାଙ୍କୁ ମନୋନୀତ କରାଯାଇ ନଥିଲା। ତେବେ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପାଇଁ ସେ ପୁଣି ଥରେ ଦଳକୁ ଫେରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ତାଙ୍କୁ ସିଧାସଳଖ ପ୍ଲେଇଂ-୧୧ରେ ସ୍ଥାନ ମିଳିବ ତ? ସେ ପୁଣି ଓପନିଂ ପୋଜିସନ୍‌କୁ ଫେରିପାରିବେ ତ?

 ଏହି ପ୍ରଶ୍ନର ଉତ୍ତର ରଖି ଦୀପ ଦାସଗୁପ୍ତା ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପ୍ରକାଶିତ ଏକ ଭିଡିଓରେ କହିଛନ୍ତି ଯେ, ଏହି ସିରିଜ୍‌ରେ ବୈଭବ ସୂର୍ଯ୍ୟବଂଶୀ ଏବଂ ସଞ୍ଜୁ ସାମସନଙ୍କ ଓପନିଂ ଯୋଡ଼ିକୁ ଆଜମାଇବା ଉଚିତ୍। ଦାସଗୁପ୍ତାଙ୍କ ଅନୁଯାୟୀ, ଭାରତୀୟ ଦଳ ପାଖରେ ଓପନିଂ ପାଇଁ ୩ଟି ଭଲ ବିକଳ୍ପ ରହିଛି। ସଞ୍ଜୁ ସାମସନ-ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ-ଅଭିଷେକ ଶର୍ମାଙ୍କ ଯୋଡ଼ି ପୂର୍ବରୁ ଓପନିଂ କରିସାରିଛନ୍ତି। ତେଣୁ ବୈଭବ ଓ ସଞ୍ଜୁଙ୍କୁ ଏକାଠି ଓପନିଂ କରାଇବାର ଏହା ସଠିକ୍ ସମୟ, ଯାହାଦ୍ୱାରା ଏକ ଯୋଡ଼ି ଭାବେ ଏହି ଦୁଇଜଣ କିପରି ପ୍ରଦର୍ଶନ କରୁଛନ୍ତି ତାହା ସ୍ପଷ୍ଟ ହୋଇପାରିବ।

 ଦୁହିଁଙ୍କ ଖେଳିବା ଶୈଳୀକୁ ଲକ୍ଷ୍ୟ କଲେ ଏହି ଯୋଡ଼ି ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ପ୍ରଥମତଃ, ଏହା ଏକ ଡାହାଣହାତୀ-ବାମହାତୀ (Right-Left) ବ୍ୟାଟିଂ କମ୍ବିନେସନ୍ ତିଆରି କରିବ। ଦ୍ୱିତୀୟତଃ, ଉଭୟ ବ୍ୟାଟର ସ୍ପିନ୍‌ ଓ ପେସ୍ ବୋଲିଂ ବିପକ୍ଷରେ ସମାନ ଭାବେ ଆକ୍ରମଣାତ୍ମକ ଶୈଳୀରେ ରନ୍ ସଂଗ୍ରହ କରିବାରେ ଦକ୍ଷ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେବଳ ଅନ୍ଧାଧୁନ୍ଧ ବ୍ୟାଟ୍ ନ ବୁଲାଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳିବା ସହ ରନ୍‌ ଗତି ବଢ଼ାଇବାର କ୍ଷମତା ଉଭୟଙ୍କ ପାଖରେ ରହିଛି। ତେଣୁ ଏହି ନୂତନ ଓପନିଂ ଯୋଡ଼ିକୁ ସୁଯୋଗ ଦେଇ ଦଳ ଆଗାମୀ ଯୋଜନା ପ୍ରସ୍ତୁତ କରିପାରିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।