ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ
ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ ସାମିଲ ହିତାଧିକାରୀମାନେ ସିଧାସଳଖ ବିଭିନ୍ନ ସରକାରୀ ସୁବିଧା ପାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏବେ ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ମିଳିଥିବା ଆର୍ଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ, ଏହି ଯୋଜନାରେ ଖୋଲାଯାଇଥିବା ପ୍ରତି ୪ ଆକାଉଣ୍ଟରୁ ଗୋଟିଏ ଆକାଉଣ୍ଟ ଅଚଳ ଥିବାବେଳେ ପାଖାପାଖି ୫.୭୨ କୋଟି ଆକାଉଣ୍ଟ ଜିରୋ ବାଲାନ୍ସରେ ଚାଲିଛି ଅର୍ଥାତ୍ ଉକ୍ତ ଆକାଉଣ୍ଟରେ ଆଦୌ ଟଙ୍କା ନାହିଁ। ଏପରି କି ୧୫ କୋଟିରୁ ଅଧିକ ଆକାଉଣ୍ଟ ନିଷ୍କ୍ରିୟ ରହିଛି। ସର୍ବାଧିକ ଶୂନ୍ୟ ବାଲାନ୍ସ ଏବଂ ନିଷ୍କ୍ରିୟ ଆକାଉଣ୍ଟ ତାଲିକାର ଶୀର୍ଷରେ ଉତ୍ତରପ୍ରଦେଶ ରହିଛି।
ଜୟପୁର, ୭ା୯(ପି.ଟି.): ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍ଜେଡିଓ୍ବାଇ)ରେ ୫୯,୦୩,୭୪,୯୦୭ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବାବେଳେ ଗତ ଅଗଷ୍ଟ ୧୨ ସୁଦ୍ଧା ସେଥିରେ ଥିବା ମୋଟ ଜମାରାଶି ପରିମାଣ ୩,୧୫,୧୭୯.୯୦ କୋଟି ଟଙ୍କାରୁ ଅଧିକ। ଆକ୍ଟିଭିଷ୍ଟ ଚନ୍ଦ୍ରଶେଖର ଗୌରଙ୍କ ଆବେଦନ ଉପରେ ଅର୍ଥ ମନ୍ତ୍ରଣାଳୟର ଆର୍ଥତ୍କ ସେବା ବିଭାଗ ଏହି ତଥ୍ୟ ଦେଇଛି। ମୋଟ ଜନଧନ ଆକାଉଣ୍ଟ ମଧ୍ୟରୁ ୩୨.୮୯ କୋଟି ମହିଳା ଏବଂ ତୃତୀୟ ଲିଙ୍ଗଙ୍କ ନାମରେ ଥିବାବେଳେ ପୁରୁଷଙ୍କ ନାମରେ ୨୬.୧୪ କୋଟି ଆକାଉଣ୍ଟ ରହିଛି। ତଥ୍ୟ ଅନୁଯାୟୀ, ୫,୭୨,୩୫,୪୯୦ଟି ଆକାଉଣ୍ଟରେ ଶୂନ ବାଲାନ୍ସ ଥିବାରୁ ସେଗୁଡ଼ିକୁ ଅଚଳ ବୋଲି ଦର୍ଶାଯାଇଛି। ଦେଶର ସମସ୍ତଙ୍କୁ ବ୍ୟାଙ୍କ ସେବା ସହ ଯୋଡ଼ିବା ଲକ୍ଷ୍ୟରେ ୨୦୧୪ ଅଗଷ୍ଟରେ ପିଏମ୍ଜେଡିଓ୍ବାଇକୁ ଏକ ଜାତୀୟ ମିଶନ ଭାବେ ଶୁଭାରମ୍ଭ କରାଯାଇଥିଲା। ପ୍ରତି ପରିବାରରେ ଅନୂ୍ୟନ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ, ଆର୍ଥତ୍କ ସାକ୍ଷରତା ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ ଥିଲା।
ଉତ୍ତରପ୍ରଦେଶରେ ସର୍ବାଧିକ ୯୫.୯୨ ଲକ୍ଷ ଜିରୋ ବାଲାନ୍ସ ପିଏମ୍ଜେଡିଓ୍ବାଇ ଆକାଉଣ୍ଟ ରହିଥିବାବେଳେ ଏହା ପଛକୁ ବିହାରରେ ୬୨.୩୫ ଲକ୍ଷ, ପଶ୍ଚିମବଙ୍ଗରେ ୩୭.୨୦ ଲକ୍ଷ, ଆସାମରେ ୩୬.୩୦ ଲକ୍ଷ ଏବଂ ମହାରାଷ୍ଟ୍ରରେ ୩୬.୦୪ ଲକ୍ଷ ଜିରୋ ବାଲାନ୍ସ ଆକାଉଣ୍ଟ ରହିଛି। ସେହିପରି ଉତ୍ତରପ୍ରଦେଶରେ ୩.୨୩ କୋଟି, ବିହାରରେ ୧.୫୯ କୋଟି, ମଧ୍ୟପ୍ରଦେଶରେ ୧.୩୫ କୋଟି, ପଶ୍ଚିମବଙ୍ଗରେ ୧.୦୨ କୋଟି ଏବଂ ମହାରାଷ୍ଟ୍ରରେ ୯୭.୯୪ ଲକ୍ଷ ଅଚଳ ଜନଧନ ଅଚଳ ଆକାଉଣ୍ଟ ରହିଛି। ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧୦.୫୧ କୋଟି ଜନଧନ ଆକାଉଣ୍ଟ ଖୋଲିଥିବାବେଳେ ବିହାରରେ ୭.୦୧ କୋଟି, ପଶ୍ଚିମବଙ୍ଗରେ ୫.୭୩ କୋଟି, ରାଜସ୍ଥାନରେ ୩.୮୭ କୋଟି ଏବଂ ମହାରାଷ୍ଟ୍ରରେ ୩.୮୫ କୋଟି ଜନଧନ ଆକାଉଣ୍ଟ ଖୋଲିଥିଲା। ସେପ୍ଟେମ୍ବର ୧ରେ ମିଳିଥିବା ଆର୍ଟିଆଇ ଉତ୍ତରରେ କୁହାଯାଇଛି, କେନ୍ଦ୍ର ସରକାର ପିଏମ୍ଜେଡିଓ୍ବାଇ ଆକାଉଣ୍ଟରେ ଥିବା ଜମାରାଶି, ଶୂନ ବାଲାନ୍ସ ଆକାଉଣ୍ଟ ଏବଂ ଅଚଳ ଆକାଉଣ୍ଟଗୁଡ଼ିକର ଲିଙ୍ଗଗତ ପୃଥକ ତଥ୍ୟ ସଂଗ୍ରହ କରନ୍ତି ନାହିଁ। ୧୦୦ ଟଙ୍କାରୁ କମ୍ ରାଶି ଥିବା
ବ୍ୟାଙ୍କ ଖାତା, ଗତ ୫ ବର୍ଷରେ ବନ୍ଦ ହୋଇଥିବା ଆକାଉଣ୍ଟ ଏବଂ ସନ୍ଦିଗ୍ଧ କାରବାର କିମ୍ବା ସାଇବର ଜାଲିଆତି କାରଣରୁ ଅଚଳ ଥିବା ଆକାଉଣ୍ଟଗୁଡ଼ିକ ସମ୍ପର୍କରେ କେନ୍ଦ୍ରୀୟ ଭାବେ ତଥ୍ୟ ଉଲ୍ଲେଖ କରାଯାଇ ନ ଥିବା ଆର୍ଟିଆଇ ଉତ୍ତରରେ କୁହାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।