ପ୍ରଥମ ଟେଷ୍ଟ: ଦିନୁଷାଙ୍କ ଶତକ; ସୁଥାର, ଜାଡ଼େଜାଙ୍କ ବୋଲିଂ ସଫଳତା; ପ୍ରଥମ ଇନିଂସରେ ୧୭୮ ରନ୍ ଆଗରେ ଭାରତ
ଗଲ୍ : ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍ରେ ଭାରତର ପ୍ରଥମ ଇନିଂସ ୪୬୨ ରନ୍ରେ ସମାପ୍ତ ହେବା ପରେ ଘରୋଇ ଶ୍ରୀଲଙ୍କା ୯୦ ରନ୍ ୫ଟି ୱିକେଟ୍ ହରାଇ ଫଲୋଅନ୍ ଆଶଙ୍କାରେ ଥିଲା। ହେଲେ ଯୁବ ବ୍ୟାଟର ସୋନଲ ଦିନୁଷା ଓ ଅଭିଜ୍ଞ ନିରୋଶନ ଡିକ୍ୱେଲା ୧୪୬ ରନ୍ର ଭାଗୀଦାରି କରି ଦଳକୁ ଫଲୋଅନ୍ ଏଡ଼ାଇବାରେ ସାହାଯ୍ୟ କରିଥିଲେ। ଶ୍ରୀଲଙ୍କା କ୍ରିକେଟ୍ର ଭବିଷ୍ୟତ କୁହା ଯାଉଥିବା ଦିନୁଷା ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ। ହେଲେ ଭାରତର ଦୁଇ ବାମହାତି ସ୍ପିନର ମାନବ ସୁଥାର ଓ ରବୀନ୍ଦ୍ର ଜାଡ଼େଜା ମିଳିତ ଭାବେ ୭ଟି ୱିକେଟ୍ ନେବାରୁ ସୋମବାର ୩ୟ ଦିନରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୮୪ ରନ୍ରେ ଶେଷ ହୋଇଥିଲା। ଭାରତ ପ୍ରଥମ ଇନିଂସରେ ୧୭୮ ରନ୍ରେ ଆଗୁଆ ଥିବା ବେଳେ ଆଗକୁ ଏହି ଲିଡ୍ ନିର୍ଣ୍ଣାୟକ ହୋଇପାରେ। ତେବେ ଭାରତ ଚାହିଁବ ଯେ ମ୍ୟାଚ୍ରେ ଆଉ ବର୍ଷା ବାଧକ ନ ସାଜୁ। ୩ୟ ଦିନରେ ଭାରତକୁ ୨ୟ ଇନିଂସରେ ୧୩ ଓଭର ବ୍ୟାଟିଂ କରିବାର ଥିଲା। ହେଲେ କଳାହାଣ୍ଡିଆ ମେଘ ଘୋଟିଆସିବା ଯୋଗୁଁ ଅମ୍ପାୟାର ଦିନର ଖେଳ ସମାପ୍ତ ଘୋଷଣା କରିଥିଲେ। ଆସନ୍ତା ୨ ଦିନର ଖେଳ ରୋଚକ ହେବାକୁ ଯାଉଛି।
ଦ୍ବିତୀୟ ଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୯ ୱିକେଟ୍ରେ ୪୬୦ ରନ୍ କରିଥିଲା। ୩ୟ ଦିନରେ ଭାରତ ମାତ୍ର ୪ଟି ବଲ୍ ଖେଳି ୨ ରନ୍ ଯୋଡ଼ି ଶେଷ ୱିକେଟ୍ ହରାଇଥିଲା। ଅସିତ ଫର୍ଣ୍ଣାଣ୍ଡୋ ଏହି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ପ୍ରଥମ ଇନିଂସ ଆରମ୍ଭ କରିବା ପରେ ୨ୟ ବଲ୍ରେ ୱିକେଟ୍ ହରାଇଥିଲା। ଅଫ୍ଷ୍ଟମ୍ପ୍ ବାହାର ବଲ୍ର ପିଛାକରି ସ୍ଲିପ୍ରେ କ୍ୟାଚ୍ ଦେଇଥିଲେ ନିଶାନ୍ ମଦୁଷ୍କା। ବାମହାତି ସ୍ପିନର ମାନବ ସୁଥାର ମ୍ୟାଚ୍ରେ ତାଙ୍କ ପ୍ରଥମ ବଲ୍ରେ ୱିକେଟ୍ ପାଇଥିଲେ। ଅଭିଜ୍ଞ ଦିନେଶ ଚାନ୍ଦିମାଲ ମାତ୍ର ୪ ରନ୍କରି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ସ୍କୋର୍ ୨/୫୩ ଥିବା ବେଳେ ୧୫ଟି ବଲ୍ ମଧ୍ୟରେ ଶ୍ରୀଲଙ୍କା ଆଉ ୨ଟି ୱିକେଟ୍ ହରାଇଥିଲା। ଓପ୍ନର ଲାହିରୁ ଉଦାରା ୧୪ ଓଭର ବ୍ୟାଟିଂକରି ୬ଟି ଚୌକା ସହ ୨୭ ରନ୍କରି ଆଉଟ୍ ହୋଇଥିଲେ। କାମିନ୍ଦୁ ମେଣ୍ଡିସ୍ ଗୋଟିଏ ଛକା ଓ ଚୌକା ସହ ୧୪ ରନ୍ କରିଥିଲେ। ଅଧିନାୟକ ଧନଞ୍ଜୟ ଡି ସିଲ୍ଭା ୪ଟି ଚୌକା ସହ ୨୧ ରନ୍କରି ଆଉଟ୍ ହୋଇଥିଲେ। ୯୦ ରନ୍ରେ ଶ୍ରୀଲଙ୍କା ୫ଟି ୱିକେଟ୍ ହରାଇବା ପରେ ଏହାକୁ ୩ୟ ଦିନରେ ୨ୟ ଥର ବ୍ୟାଟିଂ କରିବାକୁ ଓହ୍ଲାଇବାକୁ ପଡ଼ିବ ବୋଲି ଲାଗୁଥିଲା। ହେଲେ ସୋନଲ ଦିନୁଷା ଓ ନିରୋଶନ ଡିକ୍ୱେଲା ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ୩୫.୩ ଓଭର କ୍ରିଜ୍ରେ ରହି ୧୪୬ ରନ୍ ଯୋଗକରି ଫଲୋଅନ୍ ଆଶଙ୍କା ଏଡ଼ାଇ ପାରିଥିଲେ। ୱିକେଟ୍ ପଛରେ କ୍ୟାଚ୍ ଦେବା ପୂର୍ବରୁ ଆକର୍ଷଣୀୟ ବ୍ୟାଟିଂକରି ଡିକ୍ୱେଲା ୧୧୬ ବଲ୍ରୁ ୧୬ଟି ଚୌକା ସହ ୮୦ ରନ୍ କରିଥିଲେ। ଭାଗୀଦାରି ଭାଙ୍ଗିବା ପରେ ୫୨ ରନ୍ରେ ଶ୍ରୀଲଙ୍କା ଶେଷ ୫ଟି ୱିକେଟ୍ ହରାଇ ୨୮୪ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା। ପ୍ରବାଥ୍ ଜୟସୂରିୟା ୪୩ ବଲ୍ରୁ ଏବଂ ଲାହିରୁ କୁମାର ୫ ବଲ୍ରୁ ୧୦ ରନ୍ ଲେଖାଏଁ କରିଥିଲେ। ଜୀବନର ୪ର୍ଥ ଟେଷ୍ଟମ୍ୟାଚ୍ରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ସୋନଲ ଦିନୁଷା ୧୬୮ ବଲ୍ରୁ ୨ଟି ଛକା ଓ ୪ଟି ଚୌକା ସହ ୧୦୦ ରନ୍ କରିଥିଲେ। ମାନବ ସୁଥାର ୪ଟି ଓ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ୍ ନେଇଛନ୍ତି।
ଗୁରୁ-ଶନି ହେଲେ ଏକାଠି : ଦୀପାବଳି ପର୍ଯ୍ୟନ୍ତ ଏହି ରାଶିଙ୍କୁ ଖାଲି ମିଳିବ ଧନ..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।