ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍, ଆଉ ତା’ ପରେ…
ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗରେ ପୋଲିସ ଉଭୟଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନେ ହେଲେ ୨୩ ବର୍ଷୀୟ ଅନ୍ନାପୁ ରେଡ୍ଡୀ ଦୁର୍ଗା ରମଣା ରେଡ୍ଡୀ ଏବଂ ୨୪ ବର୍ଷୀୟା ଟେଙ୍କା ବରଲକ୍ଷ୍ମୀ। ହସ୍ଥିନାପୁରମ ଅଞ୍ଚଳରେ ଜଣେ ବୟସ୍କା ମହିଳାଙ୍କ ଠାରୁ ପ୍ରାୟ ୩୦ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗରେ ମଲକାଜଗିରି ଅଞ୍ଚଳର ବନସ୍ଥଳୀପୁରମ ପୋଲିସ ସେମାନଙ୍କୁ ଗିରଫ କରିଛି।
ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣା ଅକ୍ଟୋବର ୧୮ ତାରିଖ ସକାଳେ ଭେଙ୍କଟ ରମଣା କଲୋନୀସ୍ଥିତ ରାଜା ରାଜେଶ୍ୱରୀ ମନ୍ଦିରରେ ଘଟିଥିଲା। ପୀଡ଼ିତା ଅନ୍ଦୁଗୁଲା ରାମୁଲାମ୍ମା ମନ୍ଦିର ସଫା କରୁଥିବା ବେଳେ, ସେଠାରେ ଅନ୍ୟ ଭକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ।
ପୋଲିସ କହିଛି ଯେ, ବରଲକ୍ଷ୍ମୀ ସାହାଯ୍ୟ କରିବା ବାହାନାରେ ବୟସ୍କା ମହିଳାଙ୍କୁ ଜାବୁଡ଼ି ଧରି ତାଙ୍କ ପାଟି ବନ୍ଦ କରିଦେଇଥିଲେ। ଏହି ସମୟରେ ରମଣା ରେଡ୍ଡୀ ଜୋରଜବରଦସ୍ତି ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇଥିଲେ। ଘଟଣା ପରେ ଉଭୟ ଏକ ସ୍କୁଟିରେ ସେଠାରୁ ଫେରାର ହୋଇଯାଇଥିଲେ।
ତଦନ୍ତକାରୀ ଅଧିକାରୀମାନେ ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଘଟଣାର ତିନି ଦିନ ପରେ, ବୁଧବାର ସକାଳେ ବନସ୍ଥଳୀପୁରମର କମଳା ନଗରସ୍ଥିତ ଏକ ଗହଣା ଦୋକାନ ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିଲା।
ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଉଭୟ ଅଭିଯୁକ୍ତ ପ୍ରାୟ ୧୮ ମାସ ହେବ ପ୍ରେମ ସମ୍ପର୍କରେ ଥିଲେ ଏବଂ ହାଇଦ୍ରାବାଦର ଗୁର୍ରାମଗୁଡ଼ା ଅଞ୍ଚଳରେ ଏକାଠି ରହୁଥିଲେ। ଆର୍ଥିକ ଅସୁବିଧା ଏବଂ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବାକୁ ସେମାନେ ଏଭଳି ଅପରାଧର ଆଶ୍ରୟ ନେଇଥିଲେ। ପୂର୍ବରୁ ସେମାନଙ୍କ ନାମରେ କୌଣସି ଆପରାଧିକ ମାମଲା ନାହିଁ ଏବଂ ସେମାନେ ପ୍ରଥମ ଥର ପାଇଁ ଅପରାଧ କରିଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଉଭୟଙ୍କ ନିକଟରୁ ଚୋରି ହୋଇଥିବା ସୁନା ଅଳଙ୍କାର ଏବଂ ଅଭିଯୁକ୍ତଙ୍କ ଦୁଇଟି ମୋବାଇଲ ଉଦ୍ଧାର କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।