ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍ କରି ଆଉଟ୍
ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର ନେତୃତ୍ୱ ଶ୍ରେୟସ ଆୟରଙ୍କ ହାତରେ ଥିବା ବେଳେ ପାକିସ୍ତାନ ଟିମ୍ର ସାହିବଜାଦା ଫରହାନଙ୍କ ହାତରେ ରହିଛି। ମ୍ୟାଚ୍ରେ ଟସ ଜିତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ ଇଣ୍ଡିଆକୁ ଆରମ୍ଭରୁ ଦୁଇଟି ବଡ଼ ଝଟକା ଲାଗିଛି। ଭାରତୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀ ଏବଂ ସଞ୍ଜୁ ସାମସନ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ତୃତୀୟ ଓଭରର ପ୍ରଥମ ବଲ୍ରେ ବୈଭବ ସୂର୍ଯ୍ୟବଂଶୀ ଆଉଟ ହୋଇଥିଲେ। ସେ ମାତ୍ର ୯ଟି ବଲ୍ରୁ ୧୫ ରନ କରିଥିଲେ। ତାଙ୍କ ଛୋଟ ଇନିଂସ୍ରେ ୨ଟି ଛକା ସାମିଲ ଥିଲା। ବୈଭବଙ୍କ ପରେ ସଞ୍ଜୁ ସାମସନ ମଧ୍ୟ ଆଉଟ ହୋଇଥିଲେ। ସଞ୍ଜୁ ୪ଟି ବଲ ଖେଳି ମାତ୍ର ୨ ରନ କରି ପାଭିଲିୟନ ଫେରିଛନ୍ତି। ଦୁଇଟି ଉଇକେଟ ହରାଇଥିଲେ ମଧ୍ୟ ଭାରତ ଦ୍ରୁତ ଗତିରେ ରନ ସଂଗ୍ରହ କରିଛି। ଚତୁର୍ଥ ଓଭର ଚାଲିଥିବା ବେଳେ ଭାରତ ୨ ଉଇକେଟ୍ରେ ୫୨ ରନ କରିଛି। ଅଭିଷେକ ଶର୍ମା ୩୨ ରନ୍ରେ ବ୍ୟାଟିଂ କରୁଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ଖାତା ଖୋଲିନାହାନ୍ତି। ଭାରତୀୟ ଦଳ ଏବେ ବଡ଼ ସ୍କୋର ଛିଡ଼ା କରିବା ଲକ୍ଷ୍ୟରେ ରହିବ।
ଏହି ଫାଇନାଲର ବିଜେତା ଦଳ ଗୋଲ୍ଡ ମେଡାଲ ହାସଲ କରିବ। ପରାଜିତ ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଭାରତ ପୂର୍ବ ସଂସ୍କରଣରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲା। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଟିମ ମଧ୍ୟ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଗୋଲ୍ଡ ମେଡାଲ ଜିତିସାରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।