ଫାଇନାଲ୍‌ରେ ଭାରତ-ପାକିସ୍ତାନ ଲଢ଼େଇ

Oct 01, 2026 - 19:50
ଫାଇନାଲ୍‌ରେ ଭାରତ-ପାକିସ୍ତାନ ଲଢ଼େଇ

ନିଶିନ: ଚଳିତ ଏସୀୟ କ୍ରୀଡ଼ାପୁରୁଷ ‌ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍‌ରେ ଗତ ସଂସ୍କରଣ ବିଜେତା ଭାରତ ଶନିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଗୁରୁବାର ସେମିଫାଇନାଲ୍‌ରେ ଭାରତ ୧୨୪ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ପଦକ ପକ୍କା କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା। ପ୍ରଥମ ୩ ଓଭରରେ ଭାରତ ୨୪ ରନ୍‌ ଭିତରେ ଅଭିଷେକ ଶର୍ମା (୭) ଓ ସଞ୍ଜୁ ସାମ୍‌ସନ୍‌ (୭)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବୈଭବ ସୂର୍ଯ୍ୟବଂଶୀ (୩୮, ୨୧ ବଲ୍‌, ୬ ଚୌକା, ୨ ଛକା) ଭଲ ଖେଳି ଆସୁଥିବା ବେଳେ ସାହାନ ଆରାଚଚିଗେଙ୍କ ବଲ୍‌ରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଭାରତ ଲଗାତାର ୱିକେଟ୍‌ ହରାଇଥିଲେ ମଧ୍ୟ ଈଶାନ କିଶନ (୮୦*, ୪୬ ବଲ୍‌, ୪ ଚୌକା, ୫ ଛକା) ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋର୍‌ ଦେଢ଼ଶହ ପାର୍‌ କରିଥିଲେ। ଅଧିନାୟକ ଶ୍ରେୟସ ଆୟର (୧୩), ଅକ୍ଷର ପଟେଲ (୮), ତିଳକ ବର୍ମା (୨), ଶିବମ ଦୁବେ (୩) ବିଫଳ ହୋଇଥିଲେ। ୱାସିଂଟନ୍‌ ସୁନ୍ଦର (୩ ବଲ୍‌ରୁ ୭*) ଅପରାଜିତ ଥିଲେ।

ଜବାବରେ ଶ୍ରୀଲଙ୍କା ରନ୍‌ କରିବା ପୂର୍ବରୁ ଯଶ୍‌ପ୍ରୀତ ବୁମ୍‌ରା ପ୍ରଥମ ଓଭରରେ ୨ ୱିକେଟ୍‌ ନେଇ ବଡ଼ ଝଟ୍‌କା ଦେଇଥିଲେ। ଏହାପରେ ଲସିତ କ୍ରସ୍‌ପୁଲେଙ୍କୁ ରବି ବିଷ୍ଣୋଇ ରନ୍‌ଆଉଟ୍‌ କରି ଦେବାରୁ ଦଳ ୨/୩ରେ ସଂଘର୍ଷ କରିଥିଲା। ଏହି ଟର୍ନିଂ ପିଚ୍‌ରେ ଅକ୍ଷର ପଟେଲ (୨/୮), ୱାସିଂଟନ୍‌ ସୁନ୍ଦର (୧/୧୮)), ଅଭିଷେକ ଶର୍ମା (୨/୨) ମିଳିତ ଭାବେ ୫ ୱିକେଟ୍‌ ନେବାରୁ ଶ୍ରୀଲଙ୍କା ୯.୫ ଓଭର‌ରେ ୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅନ୍ୟ ୩ ଜଣ ଶ୍ରୀଲଙ୍କା ବ୍ୟାଟର୍‌ ରନ୍‌ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ୫ ଜଣ ଶ୍ରୀଲଙ୍କା ବ୍ୟାଟର୍‌ ଡକ୍‌ରେ ଆଉଟ୍‌ ହୋଇଥିଲେ। ୪୫ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌ ହେବା ଏସୀୟ କ୍ରୀଡ଼ାରେ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ଭାବେ ସର୍ବନିମ୍ନ ସ୍କୋର୍‌। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହି ଦଳ ସର୍ବନିମ୍ନ ସ୍କୋର୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ (୪୫ ରନ୍, ୨୦୧୯ରେ ଇଂଲଣ୍ଡ ବିପକ୍ଷ)ର ସମକକ୍ଷ ହୋଇଛି।ଅନ୍ୟପକ୍ଷରେ ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନ ୬ ୱିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଏହି ମ୍ୟାଚ୍‌ ୧୩ ଓଭରିଆ ହୋଇଥିଲା ବେଳେ ବାଂଲାଦେଶ ୧୧୧/୭ କରିଥିଲା। ଜବାବରେ ପାକିସ୍ତାନ ୧୧.୩ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଭାରତ-ପାକିସ୍ତାନ ସ୍ବର୍ଣ୍ଣ ମୁକାବିଲା ପୂର୍ବରୁ ବାଂଲାଦେଶ ଓ ଶ୍ରୀଲଙ୍କା କାଂସ୍ୟ ପାଇଁ ଲଢ଼ିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।