ଫିଲିପାଇନ୍ସ ସ୍କୁଲରେ ଗୁଳିକାଣ୍ଡ, ୩ ଛାତ୍ର ମୃତ
ମାନିଲା: ଦକ୍ଷିଣ ଫିଲିପାଇନ୍ସର ବାଙ୍ଗା ଟାଉନରେ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ତିନି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୬ ବର୍ଷୀୟ ସନ୍ଦିଗ୍ଧ ବନ୍ଧୁକଧାରୀ ଅଛନ୍ତି। ତେବେ ସନ୍ଦିଗ୍ଧ ବନ୍ଧୁକଧାରୀର କେମିତି ମୃତ୍ୟୁ ହେଲା ସେ ବିଷୟରେ ଅଧିକ ତଥ୍ୟ ମିଳିନାହିଁ। ୮ ଜଣ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ବୟସ ୧୪ରୁ ୧୭ ବର୍ଷ ମଧ୍ୟରେ ହେବ। ତେବେ ଗୁଳିକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ିନାହିଁ। ଆକ୍ରମଣ କେଉଁ କାରଣରୁ ଜାଣିବା ପାଇଁ ସୁରକ୍ଷାକର୍ମୀ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି। ମଧ୍ୟାହ୍ନ ଭୋଜନ ପୂର୍ବରୁ ସନ୍ଦିଗ୍ଧ ଛାତ୍ର ଜଣକ ବନ୍ଧୁମାନଙ୍କୁ ଘରକୁ ଚାଲି ଯିବାକୁ କହିଥିଲା। କିନ୍ତୁ ବନ୍ଧୁମାନେ ଏହାକୁ ମଜା ଭାବିନେଇଥିଲେ। ହେଲେ ମଧ୍ୟାହ୍ନ ଭୋଜନ ପରେ ସନ୍ଦିଗ୍ଧ ବନ୍ଧୁକଧାରୀ ଛାତ୍ର ଜଣକ ଅନ୍ୟମାନଙ୍କ ଉପରେ ଗୁଳିଚାଳନା କରିଥିଲା। ନିଜକୁ ମାରିବା ପୂର୍ବରୁ ସେ ୧୦ ଜଣ ଛାତ୍ରଙ୍କୁ ଗୁଳି କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।