ବଡ଼ ସଫଳତା, ନାଗ-ଅହିରାଜ ବିଷକୁ ମାତ୍ ଦେବ ଲାବ୍ର ଆଣ୍ଟିଭେନମ୍!
ନୂଆଦିଲ୍ଲୀ, ୧୧ା୯ (ପି.ଟି.): ନାଗ, ଅହିରାଜ ଭଳି ସାପ ବିଷ ବିରୋଧରେ ସଂଗ୍ରାମ ପାଇଁ ଗବେଷକମାନେ ଏକ ନୂତନ ଲାବ୍-ନିର୍ମିିତ ‘ରିକମ୍ବିନାଣ୍ଟ ଆଣ୍ଟିଭେନମ୍’ ପ୍ରସ୍ତୁତ କରିଛନ୍ତି। ମୂଷାଙ୍କ ଉପରେ କରାଯାଇଥିବା ପରୀକ୍ଷାରୁ ଏହା ବିଭିନ୍ନ ପ୍ରଜାତିର ନାଗ ସାପ ବିଷ ବିରୋଧରେ ବ୍ୟାପକ ସୁରକ୍ଷା ପ୍ରଦାନ କରୁଥିବା ସ୍ପଷ୍ଟ ହୋଇଛି। ଏହି ରିକମ୍ବିନାଣ୍ଟ ଆଣ୍ଟିଭେନମ୍କୁ ଜୈବପ୍ରଯୁକ୍ତି (ବାୟୋଟେକ୍ନୋଲୋଜି) ବ୍ୟବହାର କରି ପ୍ରୟୋଗଶାଳାରେ ତିଆରି କରାଯାଇଛି, ଯାହା ପାରମ୍ପରିକ ପ୍ରାଣୀ-ଆଧାରିତ ଆଣ୍ଟିଭେନମ୍ର ବିକଳ୍ପ ସାଜିବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍ସି) ଏବଂ ଜର୍ମାନୀର ଟେକ୍ନିକାଲ ୟୁନିଭର୍ସିିଟି ଅଫ୍ ଡେନ୍ମାର୍କର ମିଳିତ ଗବେଷକ ଦଳ କହିଛନ୍ତି, ପାରମ୍ପରିକ ଆଣ୍ଟିଭେନମ୍ ତୁଳନାରେ ଏହି ରିକମ୍ବିନାଣ୍ଟ ଆଣ୍ଟିବଡିଗୁଡ଼ିକୁ ଘୋଡ଼ା ଭଳି ପ୍ରାଣୀଙ୍କୁ ବାରମ୍ବାର ରୋଗପ୍ରତିରୋଧକ ଶକ୍ତି (ଇମ୍ୟୁନାଇଜେଶନ) ନ ଦେଇ ଅଣୁଜୀବ ଏବଂ ହ୍ୟୁମାନାଇଜ୍ଡ ଏକ୍ସପ୍ରେସନ ସିଷ୍ଟମ ବ୍ୟବହାର କରି ଉତ୍ପାଦନ କରାଯାଇପାରିବ।
ସାଧାରଣତଃ ସାପ ବିଷକୁ ଘୋଡ଼ା କିମ୍ବା ମେଣ୍ଢା ଶରୀରରେ ପ୍ରବେଶ କରାଯାଇ ଆଣ୍ଟିବଡି ତିଆରି କରାଯାଏ, ଯାହାକୁ ସାପକାମୁଡ଼ା ଚିକିତ୍ସାରେ ଆଣ୍ଟିଭେନମ୍ ଭାବେ ବ୍ୟବହାର କରାଯାଏ। ଆଇଆଇଏସ୍ସିର ସେଣ୍ଟର ଫର୍ ଇକୋଲୋଜିକାଲ୍ ସାଇନ୍ସେସ୍ ଆସୋସିଏଟ ପ୍ରଫେସର କାର୍ତ୍ତିକ ସୁନାଗର କହିଛନ୍ତି, ‘ସାପକାମୁଡ଼ା ଚିକିତ୍ସା ପ୍ରାୟ ୧୦୦ ବର୍ଷରୁ ଅଧିକ ସମୟ ଧରି ବଦଳି ନାହିଁ। ଏହା ଆମ ପାଖରେ ଥିବା ଏକମାତ୍ର ପରବର୍ତ୍ତୀ ପିଢ଼ିର ଆଣ୍ଟିଭେନମ, ଯାହା ଭାରତର ସାପକାମୁଡ଼ା ସମସ୍ୟାର ସମାଧାନ କରିପାରିବ।’
ଗବେଷକଙ୍କ ଅନୁଯାୟୀ, ପ୍ରତ୍ୟେକ ସାପ ପ୍ରଜାତିର ବିଷରେ ଭିନ୍ନ ଭିନ୍ନ ଟକ୍ସିନ (ବିଷାକ୍ତ ଉପାଦାନ) ଥାଏ, ଯାହା ସ୍ନାୟୁ, ରକ୍ତ କିମ୍ବା କୋଷିକାକୁ ଆକ୍ରମଣ କରିଥାଏ। ତେଣୁ ଏକ ସାର୍ବଜନୀନ ଚିକିତ୍ସା ବିକଶିତ କରିବା କଷ୍ଟକର। ଏଥିସହିତ ବର୍ତ୍ତମାନର ପ୍ରାଣୀ ଆଧାରିତ ଆଣ୍ଟିଭେନମ୍ରେ ବ୍ୟାଚ୍-ଟୁ-ବ୍ୟାଚ୍ ଭିନ୍ନତା, ପାର୍ଶ୍ୱପ୍ରତିକ୍ରିୟା ଏବଂ ସୀମିତ ପ୍ରଜାତି ସୁରକ୍ଷା ଭଳି ସମସ୍ୟା ରହିଛି। ଏଭଳିସ୍ଥଳେ ଗବେଷକ ଦଳଙ୍କୁ କାମେଲିଡ (ଲାମା ଓ ଅଲପାକା ଭଳି ଓଟ ଶ୍ରେଣୀୟ ପ୍ରାଣୀ) ଆଣ୍ଟିବଡିରୁ ସଫଳତା ମିଳିଛି। ଅଧ୍ୟୟନ ପାଇଁ ଗବେଷକମାନେ କାମେଲିଡ ଆଣ୍ଟିବଡି ବ୍ୟବହାର କରିଛନ୍ତି। ପୂର୍ବ ଗବେଷଣାରେ ଆଫ୍ରିକୀୟ ସାପ ବିଷ ଦ୍ୱାରା ପ୍ରସ୍ତୁତ ଆଣ୍ଟିବଡିକୁ ଭାରତୀୟ ନାଗ ସାପ ବିଷ ସହ ପରୀକ୍ଷା କରିବା ପରେ ଏହା ବିଷାକ୍ତ ତତ୍ତ୍ୱକୁ ନିଷ୍କ୍ରିୟ କରୁଥିବା ଜଣାପଡ଼ିଥିଲା।
ଟେକ୍ନିକାଲ ୟୁନିଭର୍ସିିଟି ଅଫ୍ ଡେନ୍ମାକର୍ର୍ର ପ୍ରଫେସର ଆନ୍ଦ୍ରିୟାସ ଲସନ କହିଛନ୍ତି, ସ୍ଥାନୀୟ ସାପ ପ୍ରଜାତିର ବିଷାକ୍ତ ତତ୍ତ୍ୱକୁ ଲକ୍ଷ୍ୟ କରି କିପରି ଆଞ୍ଚଳିକ ସ୍ତରରେ ରିକମ୍ବିନାଣ୍ଟ ଆଣ୍ଟିଭେନମ ପ୍ରସ୍ତୁତ କରାଯାଇପାରିବ, ଏହି ଗବେଷଣା ତାହାର ଏକ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରିଛି। ସାଧାରଣତଃ ଆଣ୍ଟିବଡିଗୁଡ଼ିକ ‘Y’ ଆକୃତିର ହୋଇଥାନ୍ତି। ଗବେଷକମାନେ ‘Y’ ର ଅଗ୍ରଭାଗରେ ଥିବା ଲାଇଟ୍-ଚେନ୍ ପ୍ରୋଟିନ୍କୁୁ ପୃଥକ କରି ୫ଟି ଆଣ୍ଟିବଡି ଫ୍ରାଗ୍ମେଣ୍ଟ (ନାନୋବଡି)ର ଏକ କକ୍ଟେଲ ପ୍ରସ୍ତୁତ କରିଥିଲେ। ଏହି କକ୍ଟେଲ ବିଷର ସକ୍ରିୟତାକୁ ପ୍ରଶମିତ କରିବା ସହ ତାହାକୁ ଶରୀରର ରିସେପ୍ଟର ସହ ଯୋଡ଼ିହେବାକୁ ଦେଇ ନ ଥିଲା। ସାପ ବିଷ ପ୍ରବେଶ କରାଯାଇଥିବା ମୂଷାଙ୍କ ଶରୀରରେ ଏହି ଆଣ୍ଟିବଡି କକ୍ଟେଲ ପ୍ରୟୋଗ କରାଯିବାରୁ ସେମାନେ ନାଗ, କୋବ୍ରା ଓ ଅହିରାଜ ବିଷରୁ ସୁରକ୍ଷିତ ରହିଥିଲେ। ବିଷ ପ୍ରବେଶର ୩୦ ମିନିଟ ପରେ ମଧ୍ୟ ମୂଷାମାନେ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ। ପ୍ରଫେସର ସୁନାଗରଙ୍କ କହିବା ଅନୁଯାୟୀ, ପାରାଲାଇଜ୍ଡ କିମ୍ବା ସ୍ନାୟୁଗତ ରୋଗଲକ୍ଷଣ ଦେଖାଦେଇଥିବା ମୂଷାମାନେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। ଏହି ଗବେଷଣା ଆଗାମୀ ଦିନରେ ଏକ ନିରାପଦ ଓ ଆଞ୍ଚଳିକ ସ୍ତରରେ ଉପଯୋଗୀ ତଥା ସୁରକ୍ଷାକାରୀ ଆଣ୍ଟିଭେନମ୍ ପ୍ରସ୍ତୁତିର ବାଟ ଫିଟାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।