ବନ୍ୟା କ୍ଷତିପୂରଣକୁ ନେଇ ବିଧାନସଭାରେ ମନ୍ତ୍ରୀ-ବିଧାୟକ କଥା କଟାକଟି

Sep 24, 2026 - 20:42
ବନ୍ୟା କ୍ଷତିପୂରଣକୁ ନେଇ ବିଧାନସଭାରେ ମନ୍ତ୍ରୀ-ବିଧାୟକ କଥା କଟାକଟି

ନନ୍ଦିଘୋଷ ବ୍ୟୁରୋବନ୍ୟା ପରିଚାଳନାରେ ସରକାର ବିଫଳ। ବିଧାନସଭାରେ କ୍ଷତିପୂରଣ ରିପୋର୍ଟ ଦେଖାଇ ରାଜସ୍ବ ମନ୍ତ୍ରୀଙ୍କ ବାହାବା ଉଦ୍ୟମ। ରାଜସ୍ବ ମନ୍ତ୍ରୀଙ୍କ କ୍ରେଡିଟ ଉପରେ ପାଣି ପକାଇ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ବିରୋଧୀ ନୁହଁନ୍ତି, ଖୋଦ ଶାସକ ଦଳର ସଦସ୍ୟଙ୍କ ସମାଲୋଚନାର ଶିକାର ହେଲେ ମନ୍ତ୍ରୀ। ଦେଖନ୍ତୁ ଆଜି ଗୃହରେ ପ୍ରଶ୍ନକାଳରେ ଦୁହିଁଙ୍କ ଭିତରେ କିପରି ହୋଇଛି କଥା କଟାକଟି। MMDR ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରୁଥିଲେ। ହେଲେ ତାକୁ ବଳି ଗଲା ବିଧାୟକ ଟଙ୍କଧର ଓ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଥା କଟାକଟି । ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁ ରଖୁ ଗୃହ ମୂଲତବୀ ଘୋଷଣା କରିଦେଲେ ଉପବାଚସ୍ପତି। ଟଙ୍କଧରଙ୍କ କଥା ଅନୁସାରେ ବନ୍ୟାରେ ଝାରସୁଗୁଡ଼ାରେ ବ୍ୟାପକ ଭାବେ ଭାଙ୍ଗିଛି ଘର । ରହିବା ପାଇଁ ଲୋକଙ୍କ ପାଖରେ ଘର ନାହିଁ। ଝାରସୁଗୁଡ଼ା ସଦର ଏବଂ ବିଭିନ୍ନ ବ୍ଲକରେ ବର୍ଷା ପାଇଁ ମାଟି ଘର ଭାଙ୍ଗିଛି। ବନ୍ୟା ଅଞ୍ଚଳ ପାଇଁ କିଛି କରୁଛନ୍ତି । କିନ୍ତୁ ଯେଉଁଠି ଘର ଭାଙ୍ଗିଛି ସେଠି ସରକାର କିଛି କରୁନାହାନ୍ତି । କୌତୁହଳ ବିଷୟ ଯେ ଉଭୟ ଝାରସୁଗୁଡ଼ା ଜିଲ୍ଲାରୁ ଜନପ୍ରତିନିଧି ଭାବେ ଉଭୟ ମନ୍ତ୍ରୀ ଓ ବିଧାୟକଙ୍କ ଏପରି କଥା କଟାକଟିକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ଗୃହ ଭିତରେ ସୀମିତ ରହି ନଥିଲା ଟଙ୍କଧର ଓ ସୁରେଶଙ୍କ କଳି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ ରାଜସ୍ୱ ମନ୍ତ୍ରୀ। ସେଠାରେ ଟଙ୍କଧରଙ୍କ ଅଭିଯୋଗ ନେଇ ସୁରେଶ ପୂଜାରୀଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଟଙ୍କଧରଙ୍କ ନାଁ ନନେଇ ରାଜସ୍ୱ ମନ୍ତ୍ରୀ କଟାକ୍ଷ କରିଥିଲେ । ଅଭିଯୋଗ ଶୁଣିବି ନା ଲୋକଙ୍କ ସେବାରେ ରହିବି ବୋଲି ରାଜସ୍ୱ ମନ୍ତ୍ରୀ ରୋକଠୋକ ଉତ୍ତର ଦେଲେ। କହିଥିଲେ, ଏମିତି ଅଭିଯୋଗ ଶୁଣିଲେ କାମ ନ କରି ଘରେ ବସିବି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।