ବମ୍ବେ ଆଇଆଇଟି ଛାତ୍ର ଆତ୍ମହତ୍ୟା ମାମଲା: ପ୍ରଫେସର ନିର୍ଦ୍ଦୋଶ!
ସମାଜ ଡେସ୍କ: ବମ୍ବେ ଆଇଆଇଟି ଛାତ୍ର ଆତ୍ମହତ୍ୟା ମାମଲାରେ ବିବାଦୀୟ ହୋଇ ପଡିଥିବା ପ୍ରଫେସରଙ୍କୁ ଡିନ୍ ପଦରୁ ହଟାଇ ଦିଆଯାଇଛି । ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏପରିକି ପ୍ରଫେସରଙ୍କ ନାମରେ ମୃତ ଛାତ୍ରଙ୍କ ପିତାମାତା ଜାତିଆଣ ଆକ୍ଷେପର ଅଭିଯୋଗ ଲଗାଇଛନ୍ତି । ତେବେ ପ୍ରଫେସରଙ୍କ ସପକ୍ଷରେ ଏବେ ତାଙ୍କ ସହକର୍ମୀ ଓ କେତେକ ଛାତ୍ରଗୋଷ୍ଠୀ ବାହାରିଥିବା ଦେଖିବାକୁ ମିଳିଛି । ପ୍ରଫେସର ନିର୍ଦ୍ଦୋଶ । ଛାତ୍ର ଆତ୍ମହତ୍ୟା ଘଟଣାରେ ତାଙ୍କର କୌଣସି ହିଁ ଭୂମିକା ନାହିଁ ବୋଲି ସହକର୍ମୀ ଓ କିଛି ଛାତ୍ର ଜୋର୍ ଦେବା ପରେ ବିବାଦ ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ ବମ୍ବେ ଆଇଆଇଟି ଦ୍ୱିତୀୟ ବର୍ଷ ବି-ଟେକ୍ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ ଗତ ଶୁକ୍ରବାର ରାତିରେ ନିଜ ହଷ୍ଟେଲ ରୁମ୍ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ଘଟଣା ଦିନ ୱାକ୍ଡେଙ୍କ ମିଡ୍ ସେମିଷ୍ଟର ପରୀକ୍ଷା ଥିଲା । ପରୀକ୍ଷା ହଲ୍ରେ ସ୍ମାର୍ଟଫୋନ୍ରେ ଚାଟ୍ ଜିପିଟି ବ୍ୟବହାର କରି ଉତର ଲେଖୁଥିବା ବେଳେ ପରୀକ୍ଷକ ଦାୟିତ୍ୱରେ ଥିବା ପ୍ରଫେସର ସୂର୍ଯ୍ୟନାରାୟଣ ଡୋଲା ତାଙ୍କୁ ଧରିଥିଲେ । ଏହାର ପରେ ପ୍ରଫେସର ଡୋଲା ତାଙ୍କୁ ପରୀକ୍ଷା ହଲ୍ରୁ ବାହାର କରିଦେବା ସହ ଘଟଣା ସମ୍ପର୍କରେ ଶୃଙ୍ଖଳା କମିଟିକୁ ଜଣାଇଥିଲେ । ସେହି ରାତିରେ ହିଁ ୱାକ୍ଡେ ନିଜ ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଦେଲେ । ଘଟଣା ପ୍ରଘଟ ହୋଇଯିବା ପରେ ଏହା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଗଲା । ଆଇଆଟି କର୍ତୃପକ୍ଷ ଅମନୁଷିକ ଚାପ ଓ ଜାତିଆଣ ଆକ୍ଷେପ ଯୋଗୁ ତାଙ୍କ ପୁଅ ଆତ୍ମହତ୍ୟା କଲା ବୋଲି ଦର୍ଶାଇ ୱାକ୍ଡେଙ୍କ ପିତାମାତା ଅନୁସୂଚିତ ଜାତି ଜନତଜାତି ନିର୍ଯାତନା ଆଇନ-୧୯୮୯ରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଯଦିଓ ପ୍ରଫେସର ଡୋଲାଙ୍କୁ ଡିନ୍ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କ ବିରୁଦ୍ଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେତେକ ମହଲରୁ ଦାବି ହେଉଥିବା ବେଳେ ଆଇଆଇଟି କର୍ତୃପକ୍ଷ କିନ୍ତୁ ଏବେ ପ୍ରଫେସର ଡୋଲାଙ୍କ ସପକ୍ଷରେ ବାହାରିଛନ୍ତି । ପରୀକ୍ଷା ହଲ୍ର ପରୀକ୍ଷକ ଭାବେ ଯାହା କରିବାକୁ ପ୍ରୋଟୋକଲ ରହିଛି, ପ୍ରଫେସର ଡୋଲା ତାହା ହିଁ କରିଛନ୍ତି ବୋଲି ଆଇଆଇଟି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପ ହ୍ରାସ କରିବାକୁ ଆଇଆଇଟି କର୍ତୃପକ୍ଷ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜନ କରିବେ ବୋଲି ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।