ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି
ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇବା ପରେ ଚାଇଲ୍ଡ ଲାଇନର ଏକ ଟିମ୍ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି । ଉଦ୍ଧାର ଶିଶୁକନ୍ୟାକୁ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି)କୁ ହସ୍ତାନ୍ତର କରାଯିବ ବୋଲି ସିଡବ୍ଲୁସି ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଭୀମ ସାର୍ ବୁର୍ଲା ଡାକ୍ତରଖାନାରେ ଶିଶୁକନ୍ୟାଟି ଜନ୍ମ ନେଇଥିଲା। ଦମ୍ପତିଙ୍କ ପୂର୍ବରୁ ୨ ପୁଅ ସନ୍ତାନ ଥିବାବେଳେ ତୃତୀୟ ସନ୍ତାନର ଲାଳନପାଳନ କରିବାକୁ ଆର୍ଥିକ ଦୃଷ୍ଟିରୁ ପରିବାର ଅସମର୍ଥ ଥିବା ଜଣାପଡ଼ିଛି।
ଏହି ପରିସ୍ଥିତିରେ ବରଗଡ ଅଞ୍ଚଳର ଦମ୍ପତି ବିଜେପୁର ଅଞ୍ଚଳର ଏକ ଦମ୍ପତିଙ୍କ ହାତରେ ଶିଶୁକନ୍ୟାଟିକୁ ଟେକି ଦେଇଥିଲେ । ଖବର ପାଇ ପ୍ରକଳ୍ପ ସଂଯୋଜକ ସଞ୍ଜୟ ଶତପଥୀଙ୍କ ସହିତ ସ୍ଥାନୀୟ ଆଶାକର୍ମୀ, ବିଜେପୁର ପୋଲିସ ନବଜାତ ଶିଶୁକନ୍ୟା ରହିଥିବା ଘରେ ପହଞ୍ଚି ଥିଲେ । ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେମାନେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।