ବରଯାତ୍ରୀ ପ୍ରସେଶନ୍ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ
ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨ ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏନେଇ ଆନନ୍ଦପୁର ଥାନାରେ ଏକ ମାମଲା(ନଂ-୨୧୩) ରୁଜୁ ହୋଇଛି।
ପୁରୁମୁଣ୍ଡା ଗ୍ରାମର କୃଷ୍ଣ ନାଏକଙ୍କ ଅଭିଯୋଗ ଅନୁସାରେ, ୧୨ ଜୁଲାଇ ରାତିରେ ପୁରୁମୁଣ୍ଡା ଗ୍ରାମର ବରଯାତ୍ରୀ ଦଳ ବରୁଆଁ ଗ୍ରାମକୁ ଯାଇଥିଲେ। ଶୋଭାଯାତ୍ରା ଓ ଡିଜେ ବାଜା ସହ ନାଚ ଚାଲିଥିବା ବେଳେ ପୁରୁମୁଣ୍ଡା ଗ୍ରାମର ମୋହନ ନାଏକ ଓରଫ କାଳିଆ(୨୭) ଏବଂ ବରୁଆଁ ଗ୍ରାମର ମୁନା ପ୍ରଧାନ (୨୫)ଙ୍କ ମଧ୍ୟରେ କୌଣସି କାରଣଙ୍କୁ ନେଇ ବଚସା ହୋଇଥିଲା।
ହେଲେ ମୁନା ରାଗି ଯାଇ ମୋହନଙ୍କୁ ଟାଣି ନେଇ ନିର୍ମମ ଭାବେ ମାଡ଼ ମାରିବା ସହ ଜୋରରେ ଠେଲି ଦେଇଥିଲେ। ଫଳରେ ମୋହନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା।
ପ୍ରଥମେ ତାଙ୍କୁ ଘଟଗାଁ ମେଡିକାଲ ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମୁନା ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲସ ସାକ୍ଷ୍ୟ ଓ ପ୍ରମାଣ ସଂଗ୍ରହ କରୁଥିବା ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।