‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

Sep 02, 2026 - 14:01
‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ ବିମାନ ଯାତ୍ରା ଏବଂ ଟିଭିକେର ବଡ଼ ପବ୍ଲିକ ରିଲେସନ (PR) ଅଭିଯାନକୁ ନେଇ ପଲାନିସ୍ବାମୀ କଟାକ୍ଷ କରିଛନ୍ତି।
ଟିଭିକେ ସମର୍ଥକମାନେ ବିଜୟଙ୍କୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବେ ଦେଖୁଥିବା ପ୍ରଶ୍ନରେ ପଲାନିସ୍ବାମୀ କଟାକ୍ଷ କରି କହିଛନ୍ତି, ସେ ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି। ଏଥିରେ କିଛି ଭୁଲ ନାହିଁ, ଏହା ତାଙ୍କର ଇଚ୍ଛା।

ପଲାନିସ୍ବାମୀ ଟିଭିକେ ସରକାରକୁ ଆହୁରି ଟାର୍ଗେଟ କରି କହିଛନ୍ତି ଯେ, ଜମିରେ କାମ କରିବା ପରିବର୍ତ୍ତେ ସୋସିଆଲ ମିଡିଆରେ କେବଳ ‘ରିଲ୍ସ’ ପକାଇ ସରକାର ଚଳାଯାଉଛି। ତେବେ ଏଭଳି ପଦ୍ଧତି ଆମେରିକାରେ କାମ କରିବ ନାହିଁ ବୋଲି ସେ ବ୍ୟଙ୍ଗ କରିଛନ୍ତି। ଏହା ସହ ତାମିଲନାଡୁର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଗତ ୧୧୦ ଦିନରେ ହତ୍ୟା, ଲୁଟ ଓ ହିଂସା ଭଳି ଘଟଣା ବଢ଼ିଛି।

ପଲାନିସ୍ବାମୀ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ‘ଖର୍ଚ୍ଚିଳା ମୁଖ୍ୟମନ୍ତ୍ରୀ’ ବୋଲି କହିଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ସମୟର ଖର୍ଚ୍ଚ ସହ ବର୍ତ୍ତମାନ ସରକାରର ଖର୍ଚ୍ଚକୁ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ଜୟଲଳିତାଙ୍କ ସରକାର ସମୟରେ ଖର୍ଚ୍ଚ କମାଇବା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକଳ୍ପର ଉଦ୍ଘାଟନ କରାଯାଉଥିଲା। ଏଥିସହ ବିଜୟ ନିଜକୁ ସାଧାରଣ ଚାଷୀ ଭାବେ ଉପସ୍ଥାପନ କରୁଥିବା ବେଳେ ଏତେ ମହଙ୍ଗା ଯାତ୍ରା କରୁଥିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।