ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

Sep 03, 2026 - 16:36
ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ବିଦ୍ୟାଭାରତୀ ସିଆରପିସି ଧାରା ୨୦୫ ଅନୁଯାୟୀ ଆବେଦନ କରିଥିଲେ । ମାମଲାରେ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାରୁ ଅବ୍ୟାହତି ଦେବା ପାଇଁ ସେ ଏହି ଆବେଦନ କରିଥିଲେ। ପୂର୍ବରୁ ଏସଡିଜେଏମ କୋର୍ଟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ସାରିଛନ୍ତି । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଭାରତୀ ।

୨୦୨୧ ଜୁଲାଇ ୧୧ରେ ଘଟିଥିଲା ଏକ ଲୋମ ଟାଙ୍କୁରା ଘଟଣା । ପାରଳାଖେମୁଣ୍ଡିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହେଲା। ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲାର ତଦନ୍ତ ହୋଇଥିଲା। ଏହି ମାମଲାରେ ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଗିରଫ ହୋଇସାରିଛନ୍ତି। ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ତଳ କୋର୍ଟରେ ସେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ରୋଷେୟା ମନ୍ମଥ କୁମ୍ଭ ଫେରାର ଅଛନ୍ତି । ପୂର୍ବରୁ ବିଦ୍ୟାଭାରତୀ ଏହି ମାମଲାରେ ହାଇକୋର୍ଟରୁ ଏକ ଅନ୍ତରୀଣ ସୁରକ୍ଷା ପାଇ ସାରିଛନ୍ତି ।

ବିଦ୍ୟାଭାରତୀଙ୍କ ଧାରା ୨୦୫ ଆବେଦନକୁ ନେଇ ହାଇକୋର୍ଟରେ ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ କରାଯାଇଛି । ଆଜି ବିଦ୍ୟାଭାରତୀଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।