ବାତ୍ୟା ଅର୍ଣ୍ଣବ ପ୍ରଭାବ: ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଫାଟିଲା ମହିଳାଙ୍କ ମୁଣ୍ଡ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଗରିବ ପରିବାରଙ୍କ ପାଇଁ ବିପଦ ଡାକି ଆଣିଛି। ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାହ୍ନୁ ଚରଣ ବରାଡ଼ଙ୍କ ପତ୍ନୀ ମଞ୍ଜୁଲତା ବରାଡ଼ (୪୫) ବୁଧବାର ସକାଳେ ଘର ଦାଣ୍ଡପିଣ୍ଡାରେ ଥିବାବେଳେ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ମାଟି କାନ୍ଥଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ସହ ଟାଇଲ ଓ ମାଟି ଖଣ୍ଡ ତାଙ୍କ ମୁଣ୍ଡ ଉପରେ ପଡ଼ିବାରୁ ସେ ଆହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ଓ ବିପଦମୁକ୍ତ ଥିବା ଜଣାଯାଇଛି।
ଏହି ଘଟଣାକୁ ନେଇ ମଞ୍ଜୁଲତାଙ୍କ ସ୍ବାମୀ କାହ୍ନୁ କୁହନ୍ତି ଲଗାଣ ବର୍ଷାରେ କାନ୍ଥ ବତୁରି ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ସେ କହିଛନ୍ତି। ଏଥିସହ ତାଙ୍କ ପରିବାର ଗରିବ ହୋଇଥିଲେ ମଧ୍ୟ ଏଯାଏଁ ପକ୍କାଘର ଖଣ୍ଡିଏ ମିଳି ନ ଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଧିକାରୀମାନେ ସର୍ଭେ କରି ଫେରୁଥିଲେ ମଧ୍ୟ ଘର ମିଳୁନାହିଁ। ଯେଉଁମାନଙ୍କର ଘର ଅଛି, ସେମାନଙ୍କୁ ମିଳୁଛି; ହେଲେ ଘର ନ ଥିବା ଗରିବ ଲୋକେ ବଞ୍ଚିତ ହେଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଗ୍ରାମବାସୀ ଭୀମ ପ୍ରଧାନଙ୍କ କହିବା ଅନୁସାରେ, ଗାଁରେ ଏବେ ମଧ୍ୟ ଅନେକ ମାଟିଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଲଗାଣ ବର୍ଷା ଯୋଗୁ ଏଭଳି ଘର ଭୁଶୁଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ଯାଞ୍ଚ କରାଯାଇ ବିପଦରେ ଥିବା ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।