ମୁକେଶ ଅମ୍ବାନୀଙ୍କ ଆଖିରେ ଲୁହ: ଝିଅ ଇଶାଙ୍କ କଥା ଶୁଣି ହୋଇପଡ଼ିଲେ ଭାବବିହ୍ବଳ, ୧୯୭୭ରେ….
ମୁମ୍ବାଇ,୨୮।୧୦: ବର୍ଷ ବର୍ଷର କଠିନ ପରିଶ୍ରମ ପରେ ପରିବାରର ସ୍ବପ୍ନ ସାକାର ହେଲେ ଆଖିରେ ଖୁସିର ଲୁହ ଆସିଯାଏ। ଜିଓ ପ୍ଲାଟଫର୍ମସ ଆଇପିଓ ଲିଷ୍ଟିଂ ଅବସରରେ ଏଭଳି ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଥିବା ଖବର ସାମ୍ନାକୁ ଆସିଛି। ଝିଅ ଇଶା ଅମ୍ବାନୀଙ୍କ ମୁହଁରୁ ପୁରୁଣା ଦିନର କଥା ଶୁଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ବିଶେଷ ଅବସରରେ ଇଶା ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ଜିଓର ଯାତ୍ରା ଏବଂ କମ୍ପାନୀର ସଫଳତା ବିଷୟରେ କହିଥିଲେ। ଏହି ସମୟରେ ଇଶା ୧୯୭୭ ମସିହାର ଏକ ଘଟଣା ମନେ ପକାଇଥିଲେ, ଯାହା ତାଙ୍କ ପିତାଙ୍କ ସହ ଜଡ଼ିତ ଥିଲା।
ଇଶାଙ୍କ କହିବା ଅନୁଯାୟୀ, କିଛି ଦିନ ପୂର୍ବରୁ ପରିବାର ସହ ରାତ୍ରିଭୋଜନ ସମୟରେ ମୁକେଶ ଅମ୍ବାନୀ ୧୯୭୭ ମସିହାର ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ। ସେତେବେଳେ ମୁକେଶଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା ଏବଂ ସେ ରିଲାଏନ୍ସର ପ୍ରଥମ ଆଇପିଓ ସମ୍ପର୍କିତ କାମରେ ଜଡ଼ିତ ଥିଲେ। ମୁକେଶଙ୍କ ପିତା ଧୀରୁଭାଇ ଅମ୍ବାନୀ ଚାହୁଁଥିଲେ ଯେ, କମ୍ପାନୀର ବିକାଶରେ ସାଧାରଣ ଲୋକମାନେ ମଧ୍ୟ ଅଂଶୀଦାର ହୁଅନ୍ତୁ। ଏହି ଚିନ୍ତାଧାରା ଆଧାରରେ ରିଲାଏନ୍ସକୁ ସାଧାରଣ ନିବେଶକଙ୍କ ସହ ଯୋଡ଼ିବାର ନିଷ୍ପତ୍ତି ନିଆଯାଇଥିଲା। ଇଶା ଏହି ଘଟଣା ବିଷୟରେ କହିବା ସମୟରେ ମୁକେଶ ଭାବବିହ୍ବଳ ହୋଇଥିବା ଦେଖାଯାଇଥିଲା।
ବୁଧବାର ଜିଓ ପ୍ଲାଟଫର୍ମସ ଷ୍ଟକ ମାର୍କେଟ୍ରେ ପ୍ରବେଶ ହୋଇଥିଲା। ଉପଲବ୍ଧ ସୂଚନା ଅନୁଯାୟୀ, କମ୍ପାନୀର ଆଇପିଓ ବିଏସଇ ଓ ଏନଏସଇରେ ୨୧ ପ୍ରତିଶତରୁ ଅଧିକ ପ୍ରିମିୟମ ସହ ୧,୩୫୮ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଥିଲା। ଇଶାଙ୍କ କହିବା ଅନୁସାରେ, ପ୍ରାୟ ୧୦ ବର୍ଷ ମଧ୍ୟରେ ଜିଓ ବଡ଼ ସଫଳତା ହାସଲ କରିଛି। ଚଳିତ ବର୍ଷ କମ୍ପାନୀର ରାଜସୱ ପ୍ରାୟ ୧୫.୫ ବିଲିୟନ ଡଲାର ଏବଂ ପ୍ରକୃତ ଆୟ ପ୍ରାୟ ୮ ବିଲିୟନ ଡଲାର ରହିଛି। ଜିଓର ଲିଷ୍ଟିଂ ଏହି ଯାତ୍ରାର ଶେଷ ନୁହେଁ, ବରଂ ଏକ ନୂଆ ଆରମ୍ଭ। ଆଗକୁ ମଧ୍ୟ କମ୍ପାନୀ ନିବେଶକ ଓ ଗ୍ରାହକଙ୍କ ବିଶ୍ୱାସ ବଜାୟ ରଖିବାକୁ ପ୍ରୟାସ କରିବ। ଏହି ଅବସରରେ ସେ ନିଜ ଭାଇ ଆକାଶ ଅମ୍ବାନୀଙ୍କ ପରିଶ୍ରମକୁ ମଧ୍ୟ ପ୍ରଶଂସା କରିଥିଲେ। ଜିଓ ସହ ଗତ ୧୩ ବର୍ଷର ଯାତ୍ରାରେ ଆକାଶ ବହୁତ ପରିଶ୍ରମ କରିଥିବା ଇଶା କହିଥିଲେ। ଅନ୍ୟପକ୍ଷରେ, ଅନନ୍ତ ଅମ୍ବାନୀ ଜିଓ ଉପରେ ବିଶ୍ୱାସ ରଖିଥିବା ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।