ବାତ୍ୟା ଅର୍ଣ୍ଣବ ୪ ମୃତ ୧୩ନିଖୋଜ - ଏସଆରସି
ଭଞ୍ଜନଗର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉବୁଟୁବୁ ହେଉଛି ଗଞ୍ଜାମ ଜିଲ୍ଲା । ସମଗ୍ର ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ପଞ୍ଚାୟତରେ ଲୋକେ ଜଳବନ୍ଦୀ ଥିବାବେଳେ ଭୂସ୍ଖଳନରେ ୧୩ ଜଣ ନିଖୋଜ ହୋଇ ଯାଇଛନ୍ତି । ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁର ୧୩ ଜଣ ନିଖୋଜ ଥିବା ଜଣାପଡ଼ିଛି । ଗାଁରେ ସମୁଦାୟ ୫୦ଜଣ ଥିବାବେଳେ ୧୩ ଜଣଙ୍କର ଏଯାଏଁ ପଟ୍ଟା ମିଳିପାରି ନାହିଁ । ସେହିପରି ରାଇକିଆ ୩ଜଣ ଏବଂ ଗଜପତିରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଣେ ବୃଦ୍ଧା ଜୀବିତ ଉଦ୍ଧାର ହୋଇଛନ୍ତି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି ।
ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, ଏବଂ ରାୟଗଡ଼ା ସମେତ ୯ଟି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ଗଞ୍ଜାମ ଜିଲ୍ଲାର ପାତ୍ରପୁରଠାରେ ସର୍ବାଧିକ ୫୪୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାଫଳରେ ଋଷିକୁଲ୍ୟା ଓ ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ସେପଟେ, ଭଞ୍ଜନଗର ଉପ-ଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି, "୧୩ ଜଣ ନିଖୋଜ ଥିବା ବିଡିଓଙ୍କ ଠାରୁ ଖବର ପାଇଛୁ । କିଭଳି ଓ କେଉଁ ପରିସ୍ଥିତିରେ ଏତେ ଲୋକେ ନିଖୋଜ ହେଲେ ତଦନ୍ତ କରୁଛୁ ।"
ସାମ୍ବାଦିକ ସମ୍ମିଳନୀରେ ଏସ୍ଆର୍ସି କହିଛନ୍ତି, ଗଞ୍ଜାମ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ୍ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ୍ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ ରିଲିଫ କ୍ୟାମ୍ପରେ ସୁବିଧା ଦିଆଯାଉଛି । ଶନିବାର ଆସିକାରେ ବିଦ୍ୟୁତ ସଂଯୋଗ ହୋଇଯିବ । ଜିଲ୍ଲାରେ ୮୦ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ସବୁ ଗାଁ ୱାର୍ଡରେ ରନ୍ଧା ଖାଦ୍ୟ ଦିଆଯାଉଛି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାର ଡ୍ରପ୍ କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।