ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ
ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଓଡ୍ରାଫ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଆଉ ଏକ ଓଡ୍ରାଫ ଟିମ୍ ଜିଲାକୁ ଆସୁଥିବା ଜଣାପଡ଼ିଛି। ବିଶେଷକରି ତଳିଆ ଅଞ୍ଚଳ, ନଦୀକୂଳ ଓ ପାହାଡ଼ିଆ ଅଞ୍ଚଳ ଉପରେ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି। ଅଧିକ ବର୍ଷା ହେଲେ ପାହାଡ଼ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବାରୁ ଉଦ୍ଧାରକାରୀ ଦଳକୁ ଆବଶ୍ୟକ ସରଞ୍ଜାମ ସହ ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ, ପାନୀୟ ଜଳ, ଯୋଗାଯୋଗ ଓ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ କରାଯାଇଛି।
ଅନ୍ୟପକ୍ଷେ ଜିଲାର ବିଭିନ୍ନ ନଦୀରେ ବର୍ତ୍ତମାନ ଜଳସ୍ତର ଅଧିକ ନ ଥିବାରୁ ତୁରନ୍ତ ବନ୍ୟା ଆଶଙ୍କା ନାହିଁ। ତଥାପି ଗୁଣପୁରର ପୁଟାସିଂ, କାଶୀପୁର ଏବଂ ଚନ୍ଦ୍ରପୁର ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ତେବେ ଅଧିକ ବର୍ଷା ଓ ବାତ୍ୟାର ପ୍ରଭାବରେ ଜଳସ୍ତର ବୃଦ୍ଧି ପାଇଲେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଆବଶ୍ୟକତା ଅନୁସାରେ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଜାରି ରହିଛି ବୋଲି ଜିଲାପାଳ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।