ବାତ୍ୟା ‘ମୁରାସୁ’ ଭୟରେ ଉପକୂଳ ଆତଙ୍କିତ

Nov 02, 2026 - 23:54
ବାତ୍ୟା ‘ମୁରାସୁ’ ଭୟରେ ଉପକୂଳ ଆତଙ୍କିତ

ଅମରାବତୀ: ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇଛି ବାତ୍ୟା ‘ମୁରାସୁ’। ଏହାର ପ୍ରଭାବରେ ତାମିଲନାଡ଼ୁର ଚେନ୍ନାଇ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ଉପକୂଳରେ ବିପଦ ଘନେଇଛି। ସୋମବାର ମଧ୍ୟରାତ୍ରିରୁ ମଙ୍ଗଳବାର ଭୋର୍‌ ମଧ୍ୟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟା ପ୍ରଭାବରେ ବିମାନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଜୟୱାଡ଼ା ବିମାନବନ୍ଦରରୁ ଇଣ୍ଡିଗୋର ୧୦ଟି ବିମାନ ବାତିଲ୍ ହୋଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁଇଟି ବିମାନ ସେବା ମଧ୍ୟ ବନ୍ଦ ରହିଛି। ଚେନ୍ନାଇରୁ ବିଜୟୱାଡ଼ା, ରାଜମୁନ୍ଦ୍ରୀ, କଡପା ଓ ତିରୁଚିରାପଲ୍ଲୀକୁ ଯାଉଥିବା ୧୧ଟି ବିମାନ ବାତିଲ୍ କରାଯାଇଛି। ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ବିମାନ ସେବା ସଂସ୍ଥାଠାରୁ ସ୍ଥିତି ଜାଣିବାକୁ ପରାମର୍ଶ ଦିଆଯାଇଛି।

ଇଣ୍ଡିଗୋର ୧୦ଟି ବିମାନ ବାତିଲ୍ଆ
ନ୍ଧ୍ର ସରକାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬ଟି ଏନ୍‌ଡିଆର୍‌ଏଫ୍‌ ଓ ୭ଟି ଏସ୍‌ଡିଆର୍‌ଏଫ୍‌ ଦଳ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ନେଇ ପ୍ରଶାସନ ସତର୍କ ରହିଛି।
ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହୋଇଛି। ସୋମବାର ପୂର୍ବାହ୍‌ଣରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଅତିକ୍ରମ କରିବାର ସମ୍ଭାବନା ବହୁତ ଅଧିକ। ଏହା ନଭେମ୍ବର ୨ ତାରିଖ ମଧ୍ୟରାତ୍ରି ଏବଂ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ଘଟିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁଲା ‌ବେଳେ ବାତ୍ୟା ସମୟର ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଆଶା କରାଯାଉଛି।

ଝଟକା ପବନ ଘଣ୍ଟା ପିଛା ୧୨୦କିମି
ଘଣ୍ଟା ପ୍ରତି ୨୦ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ‘ମୁରାସୁ’ ଚେନ୍ନାଇଠାରୁ ୨୬୦ କିମି ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୪୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ଭୀଷଣ ବାତ୍ୟା ଭାବେ ‘ମୁରାସୁ’ ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ଏହି ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା, ତାମିଲନାଡୁ ଏବଂ ଛତିଶଗଡ଼ ସରକାର ସତର୍କ ଅଛନ୍ତି।

କ’ଣ ରହିଛି ସଦ୍ୟତମ ସ୍ଥିତି?
ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୯୦ରୁ ୧୦୦କିମି ଏବଂ ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଜାରି ରହିଛି। ଏହି ସୂଚନା ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।