ବାଲେଶ୍ବର ପୌରପାଳିକା ପାଲଟିଛି ଡମ୍ପିୟାର୍ଡ
ନନ୍ଦିଘୋଷ ବ୍ୟୁରୋ : ଯୁଆଡ଼େ ଦେଖିବ ଗଦାଗଦା ଅଳିଆ । କୁଢ଼କୁଢ଼ ଗଦା ହୋଇ ରହିଛି ବର୍ଯ୍ଯ । ହେଲେ ଏହା କୌଣସି କବାଡ଼ିଖାନା କିମ୍ବା ଡମ୍ପିଂୟାର୍ଡ ନୁହେଁ । ଏହା ହେଉଛି ବାଲେଶ୍ବର ପୌରପାଳିକା କାର୍ଯ୍ଯାଳୟ । ଦେଢ଼ଶହ ବର୍ଷ ପୂରଣ କରିଛି ବାଲେଶ୍ବର ପୌରପାଳିକା। ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ପୌରପାଳିକା ଏବେ ନିଜେ ଆବର୍ଜନାର ପାହାଡ଼ ତଳେ ପୋତି ହେବାକୁ ବସିଲାଣି । ଅଫିସ ଭିତରକୁ ପଶିଲେ କାର୍ଯ୍ୟାଳୟ କମ୍, ଡମ୍ପିଂୟାର୍ଡ଼ ବା କବାଡ଼ିଖାନା ଅଧିକ ଲାଗୁଛି । ବର୍ଷବର୍ଷ ଧରି ଖୋଲା ଆକାଶ ତଳେ ଖତ ଖାଉଛି ଅଚଳ ଡମ୍ପର, ସଫେଇ ଗାଡ଼ି, କଳଙ୍କି ଲାଗିଥିବା ଡଷ୍ଟବିନ୍ । ସାମାନ୍ୟ ମରାମତି କରାଗଲେ ଅନେକ ଗାଡ଼ି ଚାଲିପାରନ୍ତା, ହେଲେ ପ୍ରଶାସନର ଅବହେଳାରୁ ସବୁ ଅଚଳ । ସେପଟେ ଗାଡ଼ି ସବୁ ଖରାପ ଥିବାରୁ ସହରର ଘରୋଇ ଓ ସାର୍ବଜନୀନ ଆବର୍ଜନା ଠିକ୍ ଭାବେ ଉଠିପାରୁ ନାହିଁ । କାଉନସିଲର ବୈଠକରେ ବାରମ୍ବାର ଅଭିଯୋଗ ପରେ ମଧ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷଙ୍କ ଆନ୍ତରିକତା ଅଭାବ ପାଇଁ କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଏସବୁ ଗଦା ହୋଇ ରହିବା ଦ୍ବାର କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ।
ପୌରପାଳିକାର ନିଜସ୍ୱ ଡମ୍ପିଂୟାର୍ଡ଼ ନାହିଁ । ଫଳରେ ଅଭିସ ପରିସର ପାଲଟିଛି କବାଡ଼ିଖାନା । ସେପଟେ ପୌର ପ୍ରଶାସନର କହିବା କଥା, କାର୍ଯ୍ୟାଳୟ ଆଗରେ କୌଣସି ଆବର୍ଜନା ନୁହେଁ ବରଂ ସହରରୁ ଜବତ ହୋଇଥିବା ହୋର୍ଡିଂର ଲୁହା ସାମଗ୍ରୀ ଓ RTOଙ୍କ ସାର୍ଟିଫିକେଟ୍ ମିଳିସାରିଥିବା ଅଚଳ ଗାଡ଼ି ରହିଛି । ତେବେ ଦୀର୍ଘଦିନରୁ ପଡ଼ିରହିଥିବା ସ୍କ୍ରାପ୍କୁ ଶୀଘ୍ର ବିକ୍ରି କରିବା ପାଇଁ ଯୋଜନା କରାଯାଉଛି ।
ସହରକୁ ସ୍ୱଚ୍ଛ ରଖୁଥିବା ପୌରପାଳିକାର ନିଜ ଅଗଣା ଆଜି ଭଙ୍ଗା ଗାଡ଼ିରେ ଗଦା । ଯାହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।