ବିକାଶ ବେଦିରେ ବଳି
ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ ଚାଲିଯାଉଛି। ନିଜ ଭିଟାମାଟି, ପାହାଡ଼, ଝରଣା ବଞ୍ଚେଇବା ପାଇଁ ଲଢ଼େଇ କଲେ, ସେମାନଙ୍କୁ ପୋଲିସ ଲଗେଇ ଓ ଆଇନର ବିଭିନ୍ନ ଫାନ୍ଦରେ ଦମନ କରିବାକୁ ଚେଷ୍ଟା କରାଯାଉଛି।
ସେପ୍ଟେମ୍ବର ୧୦ରେ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକୋକା ଦୁଇଟି ପୁରୁଣା ମାମଲାରେ ଲାଞ୍ଜିଗଡ଼ କୋର୍ଟରୁ ଜାମିନ ପାଇ ଘରକୁ ଫେରୁଥିବା ବେଳେ ସଶସ୍ତ୍ର ପୋଲିସ ତାଙ୍କୁ ପୁଣି ଥରେ ଉଠେଇ ନେଇ ଜେଲରେ ଭର୍ତ୍ତି କରିଦେଲା। ଏଠାରେ ସୂଚନାଯୋଗ୍ୟ, ଲଦ ସିକୋକାଙ୍କ ନାମରେ ଥିବା ଆଉ ଗୋଟିଏ କେସ୍କୁ ହଠାତ୍ ପୋଲିସ ସାମ୍ନାକୁ ଆଣି, ସେ ଜାମିନ୍ ପାଇ ଖଲାସ ହେବା ପରେ ତାଙ୍କୁ ପୁଣି ଥରେ ଗିରଫ କରିନେଲେ। ଏହି ଘଟଣା ବାହାରକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହା ପଛରେ ଥିବା ଷଡ଼ଯନ୍ତ୍ରକୁ ଅସ୍ବୀକାର କରିହେବ ନାହିଁ। ଯଦି ଲଦ ନାମରେ ଏପରି ଅଭିଯୋଗ ଥିଲା, ତା’ହେଲେ ପୋଲିସ ସେହି କେସ୍କୁ ଏକାଥରେ ଲଦ ବିରୋଧରେ ଲଗେଇ ନ ଥିଲା କାହିଁକି? ସଂପ୍ରତି ଜଣାଯାଏ ଯେ ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକୋକା ନାମରେ ଏଗାରଟି ମାମଲା ରହିଛି, ଯେଉଁଥିରେ ଦେଶଦ୍ରୋହ ଓ ଦେଶ ବିରୋଧରେ ଯୁଦ୍ଧ ଘୋଷଣା ଭଳି ଗୁରୁତର ଅଭିଯୋଗ ଅଛି। ନିୟମଗିରିର ଆଦିବାସୀ ଲଦ ସିକୋକା। ମାଟି, ପାଣି, ପବନ, ଜଙ୍ଗଲକୁ ନେଇ ତାଙ୍କ ଜୀବନ। ସେ ପୁଣି ଦେଶ ବିରୋଧରେ ଯୁନ୍ଧ ଘୋଷଣା କରିଛନ୍ତି ଓ ସରକାରଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁୁ ବାରମ୍ବାର ଗିରଫ କରାଯାଉଛି। ଅସଲ କଥା ହେଉଛି, ସେ କମ୍ପାନୀ କବଳରୁ ନିଜ ପାହାଡ଼ ଓ ଜଙ୍ଗଲକୁ ରକ୍ଷା କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇ କରୁଛନ୍ତି; ଯାହାକୁ ଆଜିକାଲି ଦେଶ ବିରୋଧରେ ଲଢ଼େଇ କୁହାଯାଉଛି। ତାହେଲେ ସେ କମ୍ପାନୀ କ’ଣ ଦେଶ? ସରକାର କ’ଣ କମ୍ପାନୀ ପାଇଁ ଅଛନ୍ତି? ଆଦିବାସୀ ଲୋକ ନିଜ ଗାଁକୁ ଦେଶ କୁହେ। ସେଇ ଦେଶକୁ ସେ ବଞ୍ଚେଇବା ପାଇଁ ଲଢ଼େଇ କରୁଛି। ତେଣୁ ସେ ଦେଶପ୍ରେମୀ। ତାକୁ ଦେଶଦ୍ରୋହୀ ଧାରା ଲଗେଇ ଗିରଫ କରାଯାଉଛି କିପରି? ଗୋଟିଏ କେସ୍ରେ ଜାମିନ୍ ପାଇବା ବେଳକୁ ଠିକ୍ ଆଉ ଗୋଟିଏ କେସ୍ ତା’ ପଛରେ ଲଗେଇ ଜେଲ ଭିତରେ ବନ୍ଦ କରିଦିଆଯାଉଛି କାହିଁକି? ଲଦ ବା ତାଙ୍କ ଭଳି ଆନ୍ଦୋଳନ କରୁଥିବା ଆଦିବାସୀଙ୍କୁ ସବୁଦିନ ପାଇଁ ଜେଲର ଚାରିକାନ୍ଥ ଭିତରେ ବନ୍ଦ କରି ରଖିବାକୁ ଷଡ଼ଯନ୍ତ୍ର କରୁଛି କିଏ? ଲଦ ସିକୋକା ଭଳି ଆଦିବାସୀମାନେ ଜାମିନ୍ ପାଇବା ବେଳକୁ ହଠାତ୍ ପୋଲିସ ଏତେ ସକ୍ରିୟ ହୋଇଯାଉଛି କିପରି? ଏସବୁ ପ୍ରଶ୍ନର ଉତ୍ତର ସେହି ଆଦିବାସୀମାନେ ପାଉନାହାନ୍ତି। କେବଳ ଏତିକି ନୁହେଁ, ଗତ ମାର୍ଚ୍ଚ ମାସରେ ଲାଞ୍ଜିଗଡ଼ ଜେ.ଏଫ୍.ଏମ.ସି. ଲଦ ସିକୋକାକୁ ପଳାତକ ଘୋଷଣା କରି ତାଙ୍କ ସମ୍ପତ୍ତିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲଦ ଭଳି ଆଦିବାସୀଙ୍କ ସମ୍ପତ୍ତି କହିଲେ ତ ତାଙ୍କ ପାହାଡ଼ ଓ ଜଙ୍ଗଲ; ଯାହାକୁ ଲୁଟିନେବା ପାଇଁ କମ୍ପାନୀ ପଞ୍ଝା ପ୍ରସାରି ବସିଛି ଏବଂ ସରକାର ତାଙ୍କ ପାଇଁ ନିଜର ସବୁ କଳ ବଳ ଲଗେଇ ଦେଉଛନ୍ତି। ଆଉ କେଉଁ ସମ୍ପତ୍ତି ରହିଲା ଯେ, ଜବତ କରିବେ! ଅବଶ୍ୟ ପରେ ଉଚ୍ଚ ନ୍ୟାୟାଳୟ ସେହି ଆଦେଶକୁ ଖାରଜ କରିଦେଇଥିଲେ।
ସେହି ସେପ୍ଟେମ୍ବର ୧୦ ରେ ଲଦଙ୍କ ଗିରଫର କିଛି ସମୟ ପରେ ସିଜିମାଳି ସୁରକ୍ଷା ଲଢ଼େଇର କେନ୍ଦ୍ର ସ୍ଥଳ କାଶୀପୁରର କଣ୍ଟାମାଳ ଓ ଥୁଆମୂଳ ରାମପୁରର ତଳଆମପଦର ଗାଁର ପ୍ରବେଶ ପଥରେ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରିଦିଆଗଲା। ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି କମ୍ପାନୀ ପାଇଁ ରାସ୍ତା ପରିଷ୍କାର କରିବା ପାଇଁ କୌଣସି ଗୋଟିଏ ବି ସୁଯୋଗ ଯେମିତି ପ୍ରଶାସନ ଛାଡ଼ିବାକୁ ଚାହୁଁନାହିଁ। କିଛି ମାସ ତଳେ କଣ୍ଟାମାଳ ଗାଁରେ ରାତି ତିନିଟାରେ ବଳପୂର୍ବକ ପୋଲିସ ପ୍ରବେଶ ଓ ବେଆଇନ ଗିରଫଦାରି ଘଟଣା ଓଡ଼ିଶା ଓ ସମଗ୍ର ଦେଶ ଦେଖିଥିଲା। ସିଜିମାଳି ସୁରକ୍ଷା ଲଢ଼େଇ ସହିତ ସଂଶ୍ଲିଷ୍ଟ କିଛି ଲୋକ ଏବେ ବି ଜେଲରେ ଅଛନ୍ତି। ସେମାନଙ୍କୁ ଗୋଟିଏ ମାମଲାରେ ଜାମିନ୍ ମିଳିବା ବେଳକୁ ପୋଲିସ ଆଉ ଗୋଟିଏ ମାମଲା ଗୁନ୍ଥିଦେଉଛି। କାରଣ ସରକାର ଓ ପ୍ରଶାସନ ଚାହାନ୍ତି, ଜଳ, ଜମି, ଜଙ୍ଗଲ ପାଇଁ ଲଢ଼େଇ କରୁଥିବା ଆଦିବାସୀ ଓ ତାଙ୍କ ସାଥୀମାନେ ଜେଲରେ ରହିଲେ ହିଁ ଖଣି ଓ କମ୍ପାନୀ କାମ ସୁରୁଖୁରୁରେ ହୋଇପାରିବ। ଆଦିବାସୀଙ୍କ ଜମି ଓ ପାହାଡ଼କୁ ବିଦେଶୀ କମ୍ପାନୀଙ୍କ ହାତକୁ ଟେକିଦେବା ପାଇଁ ଜଙ୍ଗଲ ଅଧିକାର ଆଇନରେ ଥିବା ଗ୍ରାମସଭାର ଅଧିକାରକୁ ବି କେନ୍ଦ୍ର ସରକାର କୋହଳ କରିଦେଇଛନ୍ତି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆଦିବାସୀଙ୍କ ପାଦ ତଳେ ଥିବା ମାଟି ଓ ପାହାଡ଼କୁ ଲୁଟିନେବା ପାଇଁ କମ୍ପାନୀ ସହିତ ସରକାର ଯେମିତି ସଂକଳ୍ପବଦ୍ଧ।
ଏହା ବ୍ୟତୀତ ଯେଉଁଠି ଆଦିବାସୀମାନେ ନିଜ ପାହାଡ଼, ଝରଣା, ଜଙ୍ଗଲକୁ ବଞ୍ଚେଇବା ପାଇଁ ଲଢ଼େଇ କରୁଛନ୍ତି, ସେଠାରେ ସରକାର ମିଛ ଗିରଫଦାରି ମାଧ୍ୟମରେ ଲୋକଙ୍କୁ ଡରେଇବା ପାଇଁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ରାଜନୈତିକ ନେତା ଓ ଖଳ ଲୋକମାନଙ୍କୁ ଲଗେଇ ଖଣି ଓ କମ୍ପାନୀ ସପକ୍ଷବାଦୀ ଗୋଷ୍ଠୀ ତିଆରି କରି ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଛି। କିନ୍ତୁ ଆଶ୍ୱାସନାର ବିଷୟ ଯେ, ଆଦିବାସୀମାନେ ଦମନକୁ ଡରି ନ ଯାଇ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରୁଛନ୍ତି।
ସ୍ବାଧୀନତା ଦିବସ ହେଉ କି ସାଧାରଣତନ୍ତ୍ର ଦିବସ, ନେତାମାନେ ଗଣତନ୍ତ୍ର ବିଷୟରେ ଭାଷଣ ଦିଅନ୍ତି। ଆଦିବାସୀଙ୍କ କଲ୍ୟାଣ କଥା କହନ୍ତି। କିନ୍ତୁ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲର ସୁରକ୍ଷା କଥା ଉଠିଲା ବେଳକୁ ସେମାନେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଆଦିବାସୀଙ୍କ ବିରୋଧରେ ସଂପୂର୍ଣ୍ଣ ପ୍ରଶାସନ କଳକୁ ଲଗେଇ ଦେଉଛନ୍ତି। ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଅଣଦେଖା କରି ସେମାନଙ୍କ ନାମରେ ଦେଶଦ୍ରୋହୀ ଧାରା ଲଗାଯାଉଛି।
ଓଡ଼ିଶାର ବାସଙ୍ଗମାଳି, ସିଜିମାଳି, କୁଟ୍ରୁମାଳି, ନିୟମଗିରି ସବୁ ଉପରେ ଏବେ ବିଦେଶୀ କମ୍ପାନୀଙ୍କ ଲୋଭିଲା ଦୃଷ୍ଟି। ପାହାଡ଼ ପେଟଚିରି ଲୁହାପଥର, ବକ୍ସାଇଟ୍ ବୋହିନେବା ପାଇଁ ସେମାନେ ପ୍ରଶାସନର ଉପରୁ ତଳ ଯାଏ ସମସ୍ତଙ୍କୁ ବଶ କରି ରଖିଛନ୍ତି। କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ, କମ୍ପାନୀ ପାଇଁ ଯାହା ଲୁହାପଥର ଓ ବକ୍ସାଇଟ୍, ଆଦିବାସୀଙ୍କ ପାଇଁ ତାହା ଖାଦ୍ୟ, ପାନୀୟ ଓ ଜୀବନ ଜୀବିକାର ଆଧାର। ଜୀବନର ଉତ୍ସ। ସେତକ ଚାଲିଗଲେ ଆଦିବାସୀମାନେ ବଞ୍ଚିପାରିବେ ନାହିଁ। ଆଦିବାସୀଙ୍କୁ ବଳି ପକେଇ ବିକାଶର ବାନା ଉଡ଼େଇବା ଆଦୌ ସୁସ୍ଥ ପରମ୍ପରା ନୁହେଁ।
ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତସିଂହପୁର
ମୋ: ୯୪୩୮୪୬୮୪୭୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।