ବିକ୍ରମଙ୍କୁ ପୁଣି ଜେରା କଲା ପୋଲିସ, ଫିଟିବକି ସାକ୍ଷୀ ଧମକ ମାମଲାର ଗୁମର…

Oct 16, 2026 - 19:58
ବିକ୍ରମଙ୍କୁ ପୁଣି ଜେରା କଲା ପୋଲିସ, ଫିଟିବକି ସାକ୍ଷୀ ଧମକ ମାମଲାର ଗୁମର…

ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣି ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ନୋଟିସ ପ୍ରକାରେ ଶୁକ୍ରବାର ସେ ତାଙ୍କ ଓକିଲଙ୍କ ସହ ଗୋଷାଣିନୂଆଗାଁ ଥାନାରେ ହାଜର ହୋଇଥିଲେ। ଥାନା ଅଧିକାରୀ ପ୍ରତାପ ଦାସ ଜେଲରୁ ସାକ୍ଷୀଙ୍କୁ ଧମକ ମାମଲାରେ ତାଙ୍କର ସମ୍ପୃକ୍ତିକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ। ବିକ୍ରମ ଦେଇଥିବା ବୟାନ,ଏପରିକି ପୂରା ଘଟଣାର ଭିଡିଓ ରେକର୍ଡ କରାଯାଇଛି। ଆବଶ୍ୟକ ପଡ଼ିଲେ ପୁଣି ବିକ୍ରମ ପଣ୍ଡାଙ୍କୁ ଥାନାକୁ ଆସିବା ପାଇଁ ନୋଟିସ ଦିଆଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାରେ ବିକ୍ରମ ଜେଲ ଯାଇଥିବା ବେଳେ ଗତ ସେପ୍ଟେମ୍ବର ୧ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। ତେବେ ଜେଲରେ ଥିବା ବେଳେ ଅଗଷ୍ଟ ୨୮ରେ ସେ ଏବଂ ଅନ୍ୟ ଅଭିଯୁକ୍ତ ମଦନ ଦଳାଇ ସାକ୍ଷୀଙ୍କୁ ଧମକ ଦେଇଥିଲେ। ଜେଲ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ମୋବାଇଲ ଫୋନ୍‌ ବ୍ୟବହାର କରି ସାକ୍ଷୀ ତଥା ଆଇନଜୀବୀ ଲଳିତ ମୋହନ ମଙ୍ଗରାଜଙ୍କୁ ସାକ୍ଷ୍ୟ ନ ଦେବାପାଇଁ ଧମକ ଦେଇଥିଲେ। ଏ ନେଇ ଲଳିତ ମୋହନ ଥାନାରେ ଅଭିଯୋଗ କରିଥିଲେ। ଏହା ଆଧାରରେ ନଂ.୩୫୫/୨୬ରେ ମାମଲା ରୁଜୁ ହୋଇଥିଲା।

ଥାନାରେ ଜେଲ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କୁ ଜେରା ବେଳେ ଜେଲ ଭିତରେ ତାଙ୍କ ମୋବାଇଲ ଫୋନ୍‌ ବିକ୍ରମ ପଣ୍ଡା, ମଦନ ଦଳାଇ ବ୍ୟବହାର କରିଥିବା ସେ ପୋଲିସ ନିକଟରେ ସ୍ବୀକାର କରିଥିଲେ। ତାଙ୍କ ମୋବାଇଲ ଫୋନ ଜବତ କରାଯାଇଥିଲା। ଜେଲ ଭିତରୁ ସିସିଟିଭି ଫୁଟେଜ ଓ ଫୋନ କଲ୍‌ ରେକର୍ଡ ସଂଗ୍ରହ କରାଯାଇଥିଲା। ଏହାପରେ ବିକ୍ରମଙ୍କୁ ଥାନାରେ ହାଜର ହେବାପାଇଁ ନୋଟିସ ହୋଇଥିଲା। ଗତ ୬ ତାରିଖରେ ସେ ଥାନାକୁ ଆସିବା ପରେ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ୪ଘଣ୍ଟା ଧରି ବିଭିନ୍ନ ଦିଗରୁ ପଚରାଉଚରା କରିଥିଲା। ତାଙ୍କ ବୟାନ ରେକର୍ଡ କରାଯାଇଥିଲା ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।