ସ୍ୱାମୀ, ପୁଅଙ୍କ ଆଖି ଆଗରେ ଚାଲିଗଲା ପିଙ୍କିଙ୍କ ଜୀବନ

Oct 16, 2026 - 19:58
ସ୍ୱାମୀ, ପୁଅଙ୍କ ଆଖି ଆଗରେ ଚାଲିଗଲା ପିଙ୍କିଙ୍କ ଜୀବନ

ରାଜନଗର, ୧୬/୧୦ (ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା   ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଗ୍ରାମର ୩୫ ବର୍ଷୀୟା ପିଙ୍କି ମଣ୍ଡଳଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ସ୍ୱାମୀ ମିଥୁନ ମଣ୍ଡଳ ଓ ପୁଅଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ରାଜନଗରର ହଂସୁଆ ସେତୁ ଉପରେ ଏକ ହାୱା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପିଙ୍କିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ପିଙ୍କି ନିଜ ସ୍ୱାମୀ ମିଥୁନ ମଣ୍ଡଳ ଓ ପୁଅଙ୍କ ସହ ଗାଁରୁ ବାଇକ୍‌ ଯୋଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରେ ପୁଅକୁ ଡାକ୍ତର ଦେଖାଇ ଘରକୁ ଫେରୁଥିବା ସମୟରେ ହଂସୁଆ ସେତୁ ଉପରେ ଏକ ହାୱା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁ ତିନିଜଣ ଯାକ ବାଇକ୍‌ରୁ ଛିଟିକି ପଡ଼ିଥିଲେ ଏବଂ ଚେତା ହରାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତିନିଜଣଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପିଙ୍କି ମଣ୍ଡଳଙ୍କୁ ମୃତ ଘୋଷଣା କରିଥିଲେ।  ଅନ୍ୟପଟେ ମିଥୁନ ଓ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ଦୁର୍ଘଟଣା ଘଟାଇଥିବା OD 29 R 3532 ନମ୍ବର ବିଶିଷ୍ଟ ହାୱା ଗାଡ଼ିକୁ ସଂସାରଫଳ ଗ୍ରାମାଞ୍ଚଳ ପୋଲିସ ଅଟକ ରଖିଛି। ଏନେଇ ରାଜନଗର ଥାନାରେ ୩୭୬/୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଳି ପଠାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।