ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି
ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି ଦିନ ହେବ ପାଇପ୍ ଯୋଗେ ଗୋଳିଆ ପାଣି ଆସୁଥିଲା। ଏନେଇ ସ୍ଥାନୀୟ ଲୋକେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟରଞ୍ଜନ ଦାଶ ଏହାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ ଏନ୍.ଏ.ସି. ନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇବା ପରେ ବିଧାୟକ ନୀଳମଣି ବିଷୋୟୀ ଏହାକୁ ଅତି ଗୁରୁତର ସହ ନେଇ ପ୍ରଶାସନକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ତତ୍କାଳ ଟ୍ୟାଙ୍କର ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଥିଲା। ଘଟଣା ପ୍ରକାଶ ପାଇବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଉଭୟ ୱାର୍ଡରେ ଶୁଦ୍ଧ ପାଣି ପହଞ୍ଚିବା ପରେ ଜନସାଧାରଣ ବେଶ୍ ଆଶ୍ୱସ୍ତି ଅନୁଭବ କରିଥିଲେ। ବିଧାୟକଙ୍କ ଏଭଳି ତତ୍ପରତା ଓ ଦ୍ରୁତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଭୂୟାଁସୀ ପ୍ରଶଂସା କରାଯାଇଛି। ଏହା ସହିତ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିବା ୨ ନମ୍ବର ୱାର୍ଡ କାଉନସିଲର ଦାଶଙ୍କ କର୍ମତତ୍ପରତାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।
ପୂର୍ବରୁ ଗୋଳିଆ ପାଣି ସମସ୍ୟା ନେଇ ଭିଡିଓ ଭାଇରାଲ କରିଥିବା ସ୍ଥାନୀୟ ଲୋକେ, ବର୍ତ୍ତମାନ ତୁରନ୍ତ ଶୁଦ୍ଧ ପାଣି ପାଇବା ପରେ ପୁନର୍ବାର ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରି ଭିଡିଓ ସେୟାର କରିଛନ୍ତି ଏବଂ ମାନ୍ୟବର ବିଧାୟକ ଓ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।