ବିବାଦ ସମାଧାନ କରିବାକୁ ଆସି ଭଉଣୀ ଘର ଉଜାଡି ଦେଲା ଭାଇ

Oct 03, 2026 - 13:13
ବିବାଦ ସମାଧାନ କରିବାକୁ ଆସି ଭଉଣୀ ଘର ଉଜାଡି ଦେଲା ଭାଇ

କେନ୍ଦୁଝର : ଭଉଣୀ ର ସଂସାର ଉଜାଡି ଦେଲା ଭାଇ । ଭଉଣୀ ଘର ପାରିବାରିକ ବିବାଦର ସମାଧାନ କରିବାକୁ ଆସି ଭିଣୋଇକୁ ପିଟି ପିଟି ମାରି ଦେଲା ଭାଇ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଚମ୍ପୁଆ ଉଲିବୁରୁ ବୁରୁସାହିରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତକ ହେଲେ ବନମାଳୀ ମୁଣ୍ଡା । ହତ୍ୟା ପରେ ଅଭିଯୁକ୍ତ ଶାଳକ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ମୃତ ବନମାଳୀ ଏବଂ ତାଙ୍କ ପତ୍ନୀ ଶୁକମତିଙ୍କ ମଧ୍ୟରେ ଅନେକ ସମୟରେ ପାରିବାରିକ ଝଗଡା ହୋଇଥାଏ । ତେବେ ଗତ ମଙ୍ଗଳବାର ଦିନ ଝଗଡା ଉଗ୍ର ରୂପ ନେଇଥିଲା ବନମାଳୀ ଏକ ଟାଙ୍ଗିଆରେ ସୁକମତୀଙ୍କୁ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଶୁକମତି ନିଜ ବାପଘର ଲୋକଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ସେମାନଙ୍କୁ ଡାକିଥିଲେ ।

ଶୁକ୍ରବାର ସନ୍ଧ୍ୟାରେ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଉଲିବୁରୁ ବୁରୁସାହିରେ ପହଞ୍ଚିଥିଲେ । ରାତିରେ ଝଗଡା ସମାଧାନ ସମୟରେ ଶଳା ଭିଣୋଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ଭିଣୋଇଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳେ ଭିଣୋଇଙ୍କ ମୃତ୍ୟୁ ଘଟିଥିଲା ।

ଘଟଣା ପରେ ଅଭିଯୁକ୍ତ ଶାଳକ ଅଜୟ ସେଠାରୁ ଫେରାର ହୋଇଯାଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଅଜୟକୁ ଧରିବାକୁ ଛାନଭିନ୍ ଜାରି ରଖିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।