ବେଙ୍ଗାଲୁରୁ ପଞ୍ଚତାରକା ହୋଟେଲ୍ ସୁଇମିଂ ପୁଲ୍‌ରେ ବିଦ୍ୟୁତ୍ ଆଘାତରେ ୨ ବିଦେଶୀଙ୍କ ମୃତ୍ୟୁ, ଜଣେ ଆମେରିକୀୟ ଆହତ

Oct 31, 2026 - 15:52
ବେଙ୍ଗାଲୁରୁ ପଞ୍ଚତାରକା ହୋଟେଲ୍ ସୁଇମିଂ ପୁଲ୍‌ରେ ବିଦ୍ୟୁତ୍ ଆଘାତରେ ୨ ବିଦେଶୀଙ୍କ ମୃତ୍ୟୁ, ଜଣେ ଆମେରିକୀୟ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଙ୍ଗାଲୁରୁ ସହରର ଏକ ପଞ୍ଚ ତାରକା ହୋଟେଲ୍‌ର ସୁଇମିଂ ପୁଲ୍‌ରେ ବିଦ୍ୟୁତ୍ ଆଘାତ ଲାଗି ୨ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅନ୍ୟ ଜଣେ ଆମେରିକୀୟ ନାଗରିକ ଏବଂ ଜଣେ ଭାରତୀୟ ହୋଟେଲ୍ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ସହରର ପ୍ରସିଦ୍ଧ ୫-ଷ୍ଟାର କନରାଡ୍ ହୋଟେଲ୍‌ରେ ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ଜର୍ମାନୀ ଏବଂ ସ୍ଲୋଭାକିଆର ନାଗରିକ। ସେମାନେ ହୋଟେଲ୍‌ରେ ରହୁଥିଲେ। ମୃତକଙ୍କ ବ୍ୟତୀତ ଜଣେ ଆମେରିକୀୟ ନାଗରିକ ଏବଂ ଜଣେ ଭାରତୀୟ ସୁଇମିଂ ପୁଲ୍ ଆଟେଣ୍ଡାଣ୍ଟ ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିପାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି। ମୃତ ଜର୍ମାନ ନାଗରିକଙ୍କ ନାମ ଆଲେକ୍ସଜାଣ୍ଡର ମାକ୍ସିମିଲିଆନ୍ ଥିସ୍ ତାଙ୍କ ବୟସ ୫୭ ବର୍ଷ। ସେ ଲୁଫ୍ଥାନ୍ସା ବିମାନ କମ୍ପାନୀରେ କ୍ରୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ମୃତ ସ୍ଲୋଭାକିଆ ନାଗରିକଙ୍କ ନାମ ଜୁରାଜ ହୋରଭାଟ୍ । ତାଙ୍କ ବୟସ ୪୫ ବର୍ଷ। ସେ ପ୍ରମୁଖ ଟେକ୍ନୋଲୋଜି କମ୍ପାନି ଆଇବିଏମ୍‌ ରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ଜାରି ବିବୃତି ଅନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟ୍‌ରେ କନରାଡ୍ ହୋଟେଲ୍‌ର ଘଟଣା ପରେ ଚାରିଜଣଙ୍କୁ ହସ୍ପିଟାଲ୍‌କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଜର୍ମାନ, ଜଣେ ସ୍ଲୋଭାକିଆ, ଜଣେ ଆମେରିକୀୟ ନାଗରିକ ଏବଂ ୨୬ ବର୍ଷୀୟ ହୋଟେଲ୍ କର୍ମଚାରୀ ଥିଲେ। ହସ୍ପିଟାଲ୍ ସୂଚନା ଅନୁସାରେ, ଜର୍ମାନ ନାଗରିକଙ୍କୁ ମୃତ ଅବସ୍ଥାରେ ହିଁ ହସ୍ପିଟାଲ୍ ଅଣାଯାଇଥିଲା। ଅନ୍ୟପଟେ ସ୍ଲୋଭାକିଆ ନାଗରିକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ସିପିଆର୍‌ ଦେବା ସହ ସମସ୍ତ ଚିକିତ୍ସା ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଆହତ ଆମେରିକୀୟ ନାଗରିକଙ୍କ ନାମ ୪୧ ବର୍ଷୀୟ ମାଥ୍ୟୁ ଡେସାଣ୍ଟିସ୍ । ସେ ହୋଟେଲ୍‌ରେ ରହୁଥିଲେ। ଦୁଇ ବିଦେଶୀଙ୍କୁ ଉଦ୍ଧାର କରିବା ପାଇଁ ସେ ସୁଇମିଂ ପୁଲ୍‌କୁ ଡେଇଁ ପଡ଼ିଥିଲେ। ବିଦ୍ୟୁତ୍ ଆଘାତ ଯୋଗୁଁ ସେ ମୁଣ୍ଡବିନ୍ଧା ଏବଂ ମାନସିକ ଆଘାତର ଶିକାର ହୋଇଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି। ସେହିପରି ଆହତ ଭାରତୀୟ ସୁଇମିଂ ପୁଲ୍ ଆଟେଣ୍ଡାଣ୍ଟଙ୍କ ନାମ ରାହୁଲ ତିୱାରୀ (୨୮)। ସେ ମଧ୍ୟ ଉଦ୍ଧାର କାର୍ଯ୍ୟ ସମୟରେ ଆହତ ହୋଇଥିଲେ। ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ପୁଲ୍‌ରୁ ବାହାରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଜର୍ମାନ ନାଗରିକ ଆଲେକ୍ସଜାଣ୍ଡରଙ୍କ ପତ୍ନୀ ସିଲଭିଆ ଓଟାୱା ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁସାରେ, ଦୁଇଜଣ ସୁଇମିଂ ପୁଲ୍‌ରୁ ବାହାରିବାକୁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ଏବଂ ପାଣିରେ ବୁଡ଼ି ଯାଇଥିଲେ। ହୋଟେଲ୍ ପରିଚାଳନା ପକ୍ଷରୁ ସୁଇମିଂ ପୁଲ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇନଥିବାରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ହୋଟେଲ୍‌ର ୱେବସାଇଟ୍‌ରେ ଏକ ସୂଚନା ଜାରି କରାଯାଇଛି। ଏଥିରେ ଅକ୍ଟୋବର ୩୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାରଣରୁ ସୁଇମିଂ ପୁଲ୍ ବନ୍ଦ ରହିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ କନରାଡ୍ ହୋଟେଲ୍ ହେଉଛି ହିଲଟନ୍ ଗ୍ରୁପ୍‌ର ଏକ ବିଳାସପୂର୍ଣ୍ଣ ୨୪ ମହଲା ବିଶିଷ୍ଟ ୫-ଷ୍ଟାର ହୋଟେଲ୍। ଏଠାରେ ଗୋଟିଏ ସାଧାରଣ ରୁମ୍‌ର ଭଡ଼ା ରାତି ପିଛା ଅତି କମ୍‌ରେ ୨୫ ହଜାର ଟଙ୍କା। ଏହି ଘଟଣା ପରେ ହୋଟେଲ୍‌ର ସୁରକ୍ଷା ବ୍ୟବସ୍ଥା ଏବଂ ରକ୍ଷଣାବେକ୍ଷଣରେ ଅବହେଳା ହୋଇଥିବା ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।