ବେଲଗୁଣ୍ଠା ଏନ୍ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…
ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର ୱାର୍ଡର କାଉନସିଲର ପ୍ରିୟମ୍ବଦା ସାମଲ ନିର୍ଦଳୀୟ ପ୍ରାର୍ଥୀ ଭାବେ ନୂତନ ଉପାଧ୍ୟକ୍ଷା ରୂପେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଦେଶ ସଂଖ୍ୟା ୨୦୩ ଓ ଗଞ୍ଜାମ ଜିଲାପାଳଙ୍କ ପତ୍ର ସଂଖ୍ୟା ୧୯୭୫ ଅନୁଯାୟୀ ଏହି ଉପ-ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ତହସିଲଦାର ତାପସ ରାଉତ ନିର୍ବାଚନ ଅଧିକାରୀ ଭାବେ ସମସ୍ତ ଦାୟିତ୍ୱ ତୁଲାଇଥିଲେ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇଥିଲା। ଏହି ପଦବୀ ପାଇଁ ୧୦ ନମ୍ବର ୱାର୍ଡର କାଉନସିଲର ସୁଜ୍ୟୋତି ସୁବୁଦ୍ଧି ଓ ୪ ନମ୍ବର ୱାର୍ଡର କାଉନସିଲର ପ୍ରିୟମ୍ବଦା ସାମଲ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ତେବେ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ସୁଜ୍ୟୋତି ସୁବୁଦ୍ଧିଙ୍କ ଆବେଦନରେ ଆବଶ୍ୟକ ସମର୍ଥକଙ୍କ ଦସ୍ତଖତ ନ ଥିବାରୁ ତାହା ନିୟମାନୁଯାୟୀ ନାକଚ ହୋଇଥିଲା। ଫଳରେ ଏକମାତ୍ର ବୈଧ ପ୍ରାର୍ଥୀ ଭାବେ ପ୍ରିୟମ୍ବଦା ସାମଲଙ୍କୁ ନିର୍ବାଚନ ଅଧିକାରୀ ତାପସ ରାଉତ ନୂତନ ଉପାଧ୍ୟକ୍ଷା ଭାବେ ବିଜୟୀ ଘୋଷଣା କରିଥିଲେ। ନିର୍ବାଚନ ସମୟରେ ନଗରପାଳଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବତନ ଉପାଧ୍ୟକ୍ଷା ଟି. ବବିତା କୁମାରୀ ଅନାସ୍ଥା ପ୍ରସ୍ତାବ ଭୋଟରେ ପରାଜିତ ହେବା ପରଠାରୁ ଦୀର୍ଘ ଦୁଇ ବର୍ଷ ଧରି ଏହି ପଦବୀ ଖାଲି ପଡ଼ିଥିଲା। ପ୍ରିୟମ୍ବଦା ନୂତନ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।