ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

Sep 29, 2026 - 22:38
ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ ଆକ୍ରମଣ, ସମ୍ପର୍କିତ ଆଇନ, କ୍ଷତିପୂରଣ ବ୍ୟବସ୍ଥା, ବାଲ୍ୟବିବାହ, ନିଶା ନିବାରଣ ଓ “ସୁବାସ ସଫ୍ଟୱେର୍‌” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ତାଲୁକ ଆଇନ ସେବା ସମିତିର ମୁଖ୍ୟ ଥୁଆମୂଳ ରାମପୁର ସିଭିଲ ଜଜ-କମ-ଜେଏମଏଫ୍ସି ଡ. ତାରିଣୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାପତିତ୍ୱ କରିଥିଲେ। ସେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ନ୍ୟାୟ ସଂହିତାର ଆଇନଗତ ବ୍ୟବସ୍ଥା, ଏସିଡ ବିକ୍ରି ଉପରେ କଟକଣା ଓ ଦଣ୍ଡବିଧାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ MMPS କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନ୍ନା, ଓକିଲ ସଂଘ ସଭାପତି ମନୋରଞ୍ଜନ ନାଏକ, ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲୋହାରସ, ସରକାରୀ ଓକିଲ ପ୍ରିୟଙ୍କା ମାଝୀ ଓ ସୁଧାଂଶୁ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମାହୁଲପାଟଣା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ MMPS କଲେଜର ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ, କ୍ଷୁଦ୍ର ନାଟକ ଓ ସାଂସ୍କୃତିକ ନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଜେ.ଏମ.ଏଫ.ସି ମାଜିଷ୍ଟ୍ରେଟଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା। MMPS କଲେଜ ଅଧ୍ୟାପକ ବବୃ ବାହନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବା ବେଳେ କୋର୍ଟ ଓ ଆଇନ ସେବା ସମିତିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।