ବେଲ୍ଜିୟମ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
ବ୍ରସେଲ୍ସ, ୩ା୧୧: ବେଲ୍ଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତାଙ୍କର ୫ ଦଳୀୟ ମେଣ୍ଟ ମଧ୍ୟରେ ବଜେଟ ଆଲୋଚନା ବିଫଳ ହେବା ପରେ ସୋମବାର ରାଜା ଫିଲିପ୍ଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କିନ୍ତୁ ରାଜା ଏହାକୁ ଗ୍ରହଣ କରିବେ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ରାଜପ୍ରାସାଦ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଫିଲିପ୍ ମଙ୍ଗଳବାର ଠାରୁ ଦଳୀୟ ନେତାମାନଙ୍କୁ ଭେଟିବାକୁ ଯୋଜନା କରିଛନ୍ତି ଏବଂ ଶୁକ୍ରବାର ଡି ୱେଭରଙ୍କୁ ପୁଣି ଥରେ ରାଜପ୍ରାସାଦରେ ସାକ୍ଷାତ କରିବେ। ଏକ ବିଶ୍ୱାସଯୋଗ୍ୟ ବଜେଟ ଉପରେ କୌଣସି ସହମତି ହୋଇପାରି ନ ଥିବାରୁ ଫିଲିପ ନିରାଶା ପ୍ରକାଶ କରିଛନ୍ତି। ଡି ୱେଭର ଫେବୃଆରୀ ୨୦୨୫ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଡି ୱେଭର ଡିସେମ୍ବର ୩୧ ସୁଦ୍ଧା ୨୦୨୭ ବଜେଟ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ଷକ ପୂର୍ବେ ଏଭଳି ଏକ ଅଚଳାବସ୍ଥା ଯୋଗୁଁ ସେ ରାଜାଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିବା ସ୍ଥିତିକୁ ଆସିଯାଇଥିଲେ। ୟୁରୋପୀୟ ୟୁନିୟନରେ ବେଲଜିୟମ ସବୁଠାରୁ ଭାରୀ ଋଣ ବୋଝ ବହନ କରୁଥିବା ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯାହା ଫ୍ରାନ୍ସ ଏବଂ ଇଟାଲୀ ସହ ସମାନ। ୟୁରୋପୀୟ କମିଶନ ଆକଳନ କରିଛି ଯେ ଚଳିତବର୍ଷ ଦେଶର ଋଣ ଜିଡିପି ର ୧୧୦% ସହ ସମାନ ସ୍ତରକୁ ବୃଦ୍ଧି ପାଇବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।