ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ କ୍ଷତିଗ୍ରସ୍ତ ହୋଇଛି ଭଦ୍ରକ ଜିଲ୍ଲା
ଆରଡି: ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ କ୍ଷତିଗ୍ରସ୍ତ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତ। ଦୀର୍ଘ ମାସ ଧରି କ୍ଷେତରେ ବନ୍ୟା ପାଣି ଲହଡ଼ି ମାରିବାରୁ ସଂପୂର୍ଣ୍ଣ ଭାବେ ଧାନ ତଳି ଓ ଧାନଗଛ ପଚିସଢି ନଷ୍ଟ ହୋଇଯାଇଛି। ବନ୍ୟା ଛାଡ଼ିଥିଲେ ମଧ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ କୌଣସି ସହାୟତା ମିଳିନାହିଁ। ଏପରିକି କ୍ଷେତରେ ଉଜୁଡା ଚାଷର କ୍ଷୟକ୍ଷତି ଆକଳନ ପାଇଁ ଆଜି ପର୍ଯ୍ୟନ୍ତ କୃଷି ବିଭାଗର ଅଧିକାରୀ କିମ୍ବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଆସିନଥିବା ଅଭିଯୋଗ କରିଛନ୍ତି ଚାଷୀ। ବିଶେଷକରି ଚାଷୀଙ୍କୁ ବ୍ୟାଙ୍କ ଓ ସମବାୟ କୃଷିଋଣ ଛାଡ କରିବା ଓ ଆଗାମୀ ରବି ଧାନ ଚାଷ ପାଇଁ ବିହନ ଯୋଗାଇ ଦେବା ଦାବିରେ ଆରଡି ପଞ୍ଚାୟତ ବାତୋଳ ଗାଁ ପଡ଼ିଆରେ ଏକାଠି ହୋଇଥିଲେ ଶତାଧିକ ଚାଷୀ। ଆସନ୍ତାକାଲି ଜିଲ୍ଲାପାଳ ଓ କୃଷି ବିଭାଗୀୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି ବିପନ୍ନ ଚାଷୀମାନେ। ସରକାର ଦାବି ପୂରଣ ନକଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।