ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଭାଇରାଲ ହେଉଛି ରିଆକ୍ସନ
ନୂଆଦିଲ୍ଲୀ,୧୬।୧୦ : ନିଜର ଧୂଆଁଧାର ବ୍ୟାଟିଂ ଶୈଳୀ ପାଇଁ ଦେଶବିଦେଶରେ ଚର୍ଚ୍ଚାରେ ଥିବା ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସୀୟ କ୍ରୀଡ଼ାରେ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ଖେଳାଳିମାନଙ୍କ ସହ ଗୁରୁବାର ପ୍ରଧାନମନ୍ତ୍ରୀ ସାକ୍ଷାତ କରିଥିଲେ । ଏହି ଅବସରରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଖେଳାଳିମାନେ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଏଥର ଏସୀୟ କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିଥିବା କେତେକ ଖେଳାଳିଙ୍କ ବୟସ ମାତ୍ର ୧୫ରୁ ୧୭ ବର୍ଷ ମଧ୍ୟରେ । ଏତେ କମ୍ ବୟସରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସେମାନେ ଦେଶର ଗୌରବ ବଢ଼ାଇବା ସହ ଦେଶବାସୀଙ୍କ ହୃଦୟ ଜିଣିଛନ୍ତି । ଏହି କଥା କହିବା ସମୟରେ କ୍ୟାମେରା ବୈଭବ ସୂର୍ଯ୍ୟବଂଶୀଙ୍କ ଆଡ଼କୁ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଶୁଣି ୧୫ ବର୍ଷୀୟ ବୈଭବ ହସୁଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ମୋଦି ଆହୁରି କହିଥିଲେ ଯେ ସଫଳତା ପାଇଁ ବୟସ କେବେ ବାଧକ ହୋଇପାରେ ନାହିଁ। କମ୍ ବୟସରୁ ଖେଳ ଆରମ୍ଭ କରିବା ଭବିଷ୍ୟତରେ ଖେଳାଳିଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରେ । ତେଣୁ ଛୋଟ ବୟସରୁ ପ୍ରତିଭା ଚିହ୍ନଟ କରିବା ଆବଶ୍ୟକ। ଖେଲୋ ଇଣ୍ଡିଆ ଓ ଇମର୍ଜିଂ ଖେଲୋ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ହଜାର ହଜାର ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ସେ କହିଥିଲେ।
ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ସିଡିଂ ବ୍ୟବସ୍ଥା ଅନୁଯାୟୀ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା। କ୍ୱାର୍ଟର ଫାଇନାଲ୍ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଖେଳାଯାଇପାରି ନଥିଲା। ଉନ୍ନତ ରାଙ୍କିଂ ଆଧାରରେ ଭାରତ ସେମିଫାଇନାଲ୍ରେ ପହଞ୍ଚିଥିଲା। ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ୧୨୪ ରନ୍ରେ ପରାସ୍ତ କରିଥିବା ଭାରତ ଫାଇନାଲ୍ରେ ପାକିସ୍ତାନକୁ ୧୯ ରନ୍ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ବୈଭବ ଦୁଇଟି ଇନିଂସ୍ରୁ ମୋଟ ୫୩ ରନ୍ ସଂଗ୍ରହ କରିଥିଲେ।
ସେହିପରି ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ଫାଇନାଲ୍ରେ ଶ୍ରୀଲଙ୍କାକୁ ୧୪୭ ରନ୍ରେ ପରାସ୍ତ କରି ମହିଳା ଦଳ ଏହି ସଫଳତା ହାସଲ କରିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।