ବ୍ରହ୍ମପୁରରେ ନକଲି ମସଲା କାରଖାନା ଉପରେ ଚଢ଼ାଉ , ୨ ଅଟକ
ବ୍ରହମପୁର : ବ୍ରହ୍ମପୁର ର ନକଲି ମସଲା ତିଆରି କାରଖାନା ଉପରେ ବଡ଼ ଧରଣର ଚଢ଼ାଉ । ପୂର୍ବରୁ ନକଲି ଟମାଟୋ ସସ୍, ଅପମିଶ୍ରିତ ତେଲ ଏବଂ ପନିର ପରେ ବର୍ତ୍ତମାନ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ହୋଇଛି । ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ଏବଂ ପ୍ରହଲ୍ଲାଦ ନଗର ଅଞ୍ଚଳରେ ଚାଲିଥିବା ନକଲି ମସଲା କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ୨ ଟି ସ୍ଥାନରୁ ପ୍ରାୟ ୩୦ ଟନ୍ରୁ ଅଧିକ ଭେଜାଲ୍ ସାମଗ୍ରୀ, ୪ ମିଲିଂ ମେସିନ୍ ଜବତ କରିଛି । ଏହି ଘଟଣାରେ ୨ଜଣ ବ୍ୟବସାୟୀଙ୍କ ସହ ୩ଜଣକୁ ଅଟକ ରଖିଛି ପୋଲିସ ।
ବ୍ରହ୍ମପୁର ଏସ୍ପି ଅଭିନବ ସୋନକରଙ୍କ ନିର୍ଦ୍ଦେଶରେ ଟାଉନ୍ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ ବଡ଼ବଜାର ଥାନାଧିକାରୀ ଆଶିଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠାରେ ଚଢ଼ଉ କରିଥିଲା । ଏହି ସମୟରେ କାରଖାନାରୁ ପ୍ରାୟ ୩,୦୦୦ କିଲୋଗ୍ରାମର ନକଲି ହଳଦୀ ଏବଂ ମରିଚ ଗୁଣ୍ଡ ସହ ଅନ୍ୟାନ୍ୟ ମସଲା ଓ ମସଲା ପ୍ରସ୍ତୁତ କରିବା ମେସିନ ଜବତ କରାଯାଇଛି । ଏଥିସହ କଞ୍ଚାମାଲ, ୪ଟି ମିଲିଂ ମେସିନ୍ ଓ ପ୍ରାୟ ୫ଟି ପ୍ୟାକିଂ ମେସିନ୍ ମିଳିଥିଲା । ବାହାରୁ କଞ୍ଚାମାଲ ଆଣି ସେହି କୋଠା ଭିତରେ ମିଲିଂ କରିବା ସହ ତାହାକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍ର ଜରିରେ ପ୍ୟାକିଂ କରି ବଜାରରେ ବିକ୍ରି କରାଯାଉଥିଲା । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନ, ଏପରିକି ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଅନ୍ୟପଟେ, ଏହି କାରଖାନାଗୁଡ଼ିକର କୌଣସି ଜିଏସଟି (GST) କିମ୍ବା ବୈଧ ଲାଇସେନ୍ସ ନଥିଲା। ବ୍ୟବସାୟୀମାନେ ବିନା କୌଣସି ବ୍ରାଣ୍ଡ୍ ନାମରେ ଏହି ଅପମିଶ୍ରିତ ପ୍ୟାକେଟ୍ ଗୁଡ଼ିକୁ ବଜାରରେ ବିକ୍ରି କରୁଥିଲେ । ବଡ଼ବଜାର ପୋଲିସ ଅତର୍କିତ ଭାବେ ଏହି ଚଢ଼ାଉ କରିବା ସହ ସମ୍ପୃକ୍ତ କାରଖାନାକୁ ସିଲ୍ କରିଦେଇଛି ।
ସେହିଭଳି ସପ୍ତାହେ ପୂର୍ବରୁ ମଧ୍ୟ ବଡ଼ବଜାର ପୁଲିସ ଚଢ଼ଉ କରି ୨ଟି କାରଖାନା ଠାବ କରିଥିଲା । ତେବେ ବ୍ରହ୍ମପୁରରୁ ବାରମ୍ବାର ଖାଦ୍ୟ ଅପମିଶ୍ରଣ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ ହେଉଥିଲେ ମଧ୍ୟ ବିଏମ୍ସିର ଖାଦ୍ୟ ନିରାପତ୍ତା ବିଭାଗ କିପରି ନିରବଦ୍ରଷ୍ଟା ସାଜିଥିଲା ତାହା ପ୍ରଶ୍ନବାଚୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।