ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି
ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି ଗଦା ହୋଇଛି ଆସ୍ପଣ୍ଡ। କେନାଲ ପାର୍ଶ୍ୱ ଚାଷ ଜମିରେ ମାଡ଼ୁଛି ଗୁଣ୍ଡର ବିଷାକ୍ତ ପାଣି। ପ୍ରଥମେ ଭାଙ୍ଗି ଯାଇଥିବା ଆଖଡ଼ା ଶାଳୀ ସ୍ଲୁଇସ୍ ଗେଟ ଦେଇ ମହାନଦୀର ବନ୍ୟା ଜଳ ଚାଷ ଜମିରେ ମାଡ଼ି ଯିବା ଫଳରେ ତଳି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଥିଲା। ପରେ ଅନ୍ୟ ଅଞ୍ଚଳରୁ ଚାଷୀମାନେ ଉଚ୍ଚ ଦରରେ ତଳି କିଣି ବେଉଷଣ କାମ ଶେଷ କରିଥିଲେ। ଲକ୍ଷ୍ୟ ଥିଲା ଚଳିତ ବର୍ଷ ଭଲ ଅମଳ ହେବା ସହିତ ପରିବାର ପୋଷଣ ହେବ ବୋଲି କୁହାଯାଉଛି। କିନ୍ତୁ ଏବେ ବାଧକ ସାଜିଛି ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ଗଭୀର ଗଣ୍ଡ। ଏହାକୁ ସମତୁଲ କରିବା ପାଇଁ ରାସ୍ତା ନିର୍ମାଣରେ ପାହାଡ଼ ଭଳି ଗଦା ହୋଇଥିବା ଆଶ୍ପଣ୍ଡ ଗୁଣ୍ଡ ପାଣି ସଂସ୍ପର୍ଶରେ ଆସି ସେଥିରୁ ନିର୍ଗତ ହେଇଥିବା ବିଷାକ୍ତ ରାସାୟନିକ ଯୁକ୍ତ ପାଣି ଏବେ ଚାଷ କ୍ଷେତରେ ମାଡ଼ୁଛି। ଫଳରେ ଚାଷୀଙ୍କ ଧାନ ଫସଲ ଅମଳକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି । ବିଶେଷକରି କେନାଲ ପାଶର୍ବ ଜମି ହଡ଼ପ, କିଆ ବାରିଆ, ଅଳାପାହି, ବାଘୁଆ ମେଦ, ବେତ ବେଲାରି, ଟାଙ୍କି ବେଲାରି ଓ ଖେଣ୍ଟାଗୋଜ ଆଦି ଚାଷ ଜମିରେ କେନାଲ ଜଳ ମାଡ଼ୁଛି । ଧାନ ପିଲ ବାହାରିବା ପରିବର୍ତ୍ତେ ଖେଣ୍ଟା ହୋଇ ଗଛ ନାଲି ପଡିଛି ବୋଲି ଚାଷୀ ହରି ରାଉତ, ସହଦେବ ରାଉତ, ଫକୀର ଦାସ, ପରିତୋଷ ମଣ୍ଡଳ, ରବୀନ୍ଦ୍ର ମୁର୍ମୁ ଓ ଲାଲୁ ମଣ୍ଡଳ ପ୍ରମୁଖ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।