ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

Sep 07, 2026 - 20:36
ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି। ଏହାପରେ ଉଦ୍ଧାର ଶିଶୁପୁତ୍ରକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି।

ପୋଲିସ ସୂଚନା ମୁତାବକ, ପାହାନ୍ତିଆରେ ମୈଦଲପୁର ଥାନା ଏଏସ୍‌ଆଇ ଅନନ୍ତ କାଡ୍ରାକା ଓ ତାଙ୍କ ଟିମ୍‌ ପାଟ୍ରୋଲିଂ କରୁଥିବା ସମୟରେ ମାଝୀଗୁଡ଼ା ଗୋପୀଗୁଡ଼ା ଛକ ନିକଟରେ ପଡ଼ିଥିବା ଏକ ବ୍ୟାଗ୍‌ରେ ପିଲାଟିକୁ ଦେଖିଥିଲେ। ଶିଶୁପୁତ୍ରକୁ ସେମାନେ ଉଦ୍ଧାରକରି ପ୍ରଥମେ ମୈଦଲପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ପିଲାଟିକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଛି। କୌଣସି ମହିଳା ପ୍ରସବ କରିବା ପରେ ବ୍ୟାଗ୍‌ ଭିତରେ ଛୁଆଟିକୁ ଭର୍ତ୍ତିକରି ରାସ୍ତାକଡ଼ରେ ଛାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।