‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା
ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ। ସୋମବାର ବିଧାନସଭାରେ ଗୃହ (ପୋଲିସ) ବିଭାଗର ଅନୁଦାନ ଦାବି ଉପରେ ଆଲୋଚନାର ଉତ୍ତର ଦେଇ ସେ ଏହି ଅଭିଯୋଗ ଆଣିଛନ୍ତି।
ମୁଖ୍ୟମନ୍ତ୍ରୀ ବିଜୟ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି EDର ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ, ୨୦୨୧ରୁ ୨୦୨୫ ମଧ୍ୟରେ ତାମିଲନାଡୁରେ ଏକ ସଂଗଠିତ ଗ୍ୟାଙ୍ଗ କାର୍ଯ୍ୟ କରୁଥିଲା, ଯାହାକୁ ‘କରୁର ଗ୍ୟାଙ୍ଗ’ ବୋଲି କୁହାଯାଉଥିଲା।
ବିଜୟଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ୟାଙ୍ଗ ସରକାରୀ ବ୍ୟବସ୍ଥାର ଦୁରୁପଯୋଗ କରି ଅବୈଧ ଆଦାୟ, ଟେଣ୍ଡରରେ ହେରଫେର ଏବଂ ଅବୈଧ ଭାବେ ଟଙ୍କା କାରବାର କରୁଥିଲା। ସେତେବେଳେ ଟାସ୍ମାକ ବିଭାଗ ତତ୍କାଳୀନ DMK ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କ ଅଧୀନରେ ଥିଲା ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାରୀ ନିୟମକୁ ଅଣଦେଖା କରି କିଛି ଘରୋଇ ବ୍ୟକ୍ତି ଓ ରାଜନୈତିକ ମଧ୍ୟସ୍ଥଙ୍କୁ ପ୍ରଭାବଶାଳୀ କରାଯାଇଥିଲା।
ବିଜୟଙ୍କ କହିବା ଅନୁସାରେ, କରୁର ଓ କୋଏମ୍ବାଟୋର ଅଞ୍ଚଳରେ ମଦ କିଣୁଥିବା ଗ୍ରାହକଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିଲା। ଏଥିସହ ସ୍ଥାନୀୟ ବାର୍ ମାଲିକଙ୍କଠାରୁ ମଧ୍ୟ ଜୋରଜବରଦସ୍ତି ଟଙ୍କା ଆଦାୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ସେନ୍ଥିଲ ବାଲାଜୀଙ୍କ ଭାଇ ଭି. ଅଶୋକ କୁମାରଙ୍କ ନାଁ ନେଇ ବିଜୟ ଟେଣ୍ଡରରେ ଅନିୟମିତତା, କଥିତ ଜାଲିଆତି ଏବଂ ପରିବହନ ଓ କ୍ରୟ ଚୁକ୍ତି ମାଧ୍ୟମରେ ଅବୈଧ ଭାବେ ଟଙ୍କା ସ୍ଥାନାନ୍ତର ଭଳି ଅଭିଯୋଗ ଆଣିଛନ୍ତି।
ନିଜ ଭାଷଣରେ ବିଜୟ ୧୯୬୭ରେ ସି.ଏନ. ଅନ୍ନାଦୁରାଇ, ୧୯୭୭ରେ ଏମ.ଜି. ରାମଚନ୍ଦ୍ରନ ଏବଂ ୧୯୮୩ରେ ଆନ୍ଧ୍ରପ୍ରଦେଶର ଏନ.ଟି. ରାମାରାଓଙ୍କ ଐତିହାସିକ ରାଜନୈତିକ ବିଜୟର ଉଦାହରଣ ଦେଇଥିଲେ।
ସେ କହିଛନ୍ତି ଯେ, ସେହି ଧାରାରେ ୨୦୨୬ ବିଧାନସଭା ନିର୍ବାଚନରେ ତାଙ୍କର ଦୁଇ ବର୍ଷ ପୁରୁଣା ଦଳ TVK ବଡ଼ ବିଜୟ ହାସଲ କରି ସରକାର ଗଠନ କରିଛି। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।
ବିଜୟ କହିଛନ୍ତି, ଭଗବାନ, ପ୍ରକୃତି ଓ ଜନତା ସବୁବେଳେ ଆମ ସହ ଅଛନ୍ତି। ଦୁର୍ନୀତି ବିରୋଧୀ ତଦନ୍ତ ସାମ୍ନାରେ ବିରୋଧୀଙ୍କ ସବୁ ଚାଲ ବିଫଳ ହେବ।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ବୟାନ ତାମିଲନାଡୁରେ TASMACକୁ ନେଇ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।