୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

Sep 08, 2026 - 10:43
୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ ରାଶିରେ ଗୋଚର କଲେ ଏହାକୁ ଶନିଙ୍କ ସାଢେସାତୀ ବୋଲି କୁହାଯାଏ। ପ୍ରାୟ ସାଢେ ସାତ ବର୍ଷ ଧରି ଚାଲୁଥିବା ଏହି ସମୟକୁ ଜ୍ୟୋତିଷରେ ଗୁରୁତ୍ୱପୂର୍ଣ୍ଣ ମନାଯାଏ। ୨୦୨୬ରେ କୁମ୍ଭ, ମୀନ ଓ ମେଷ ରାଶି ଉପରେ ଶନିଙ୍କ ସାଢେସାତୀର ପ୍ରଭାବ ରହିଛି। ଶନି ୨୯ ମାର୍ଚ୍ଚ ୨୦୨୫ ରାତି ୧୧ଟା ୧ ମିନିଟରେ ମୀନ ରାଶିରେ ପ୍ରବେଶ କରିଥିଲେ। ୨୦୨୬ରେ ଶନିଙ୍କ ରାଶି ପରିବର୍ତ୍ତନ ନାହିଁ। ତେବେ ୩ ଜୁନ ୨୦୨୭ ସକାଳ ୬ଟା ୨୩ ମିନିଟରେ ଶନି ମେଷ ରାଶିରେ ପ୍ରବେଶ କରିବେ ବୋଲି ଜ୍ୟୋତିଷୀୟ ଗଣନା କୁହେ।

ମେଷ ରାଶିର ଲୋକଙ୍କ ଉପରେ ଏବେ ଶନିଙ୍କ ସାଢେସାତୀର ପ୍ରଥମ ପର୍ଯ୍ୟାୟ ଚାଲିଛି। ଜ୍ୟୋତିଷ ମତରେ, ଏହି ସମୟରେ ମାନସିକ ଚାପ, ଚିନ୍ତା ଓ ବିଭିନ୍ନ ଜୀବନଗତ ସମସ୍ୟା ଦେଖାଦେଇପାରେ। ତେଣୁ ମେଷ ରାଶିର ଲୋକଙ୍କୁ ଧୈଯ୍ୟ ଓ ସଂଯମର ସହ କାମ କରିବାକୁ ପରାମର୍ଶ ଦିଆଯାଏ। ୨୦୨୭ରେ ଶନି ମେଷ ରାଶିକୁ ପ୍ରବେଶ କରିବା ପରେ ସାଢେସାତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଜ୍ୟୋତିଷୀୟ ଗଣନା ଅନୁସାରେ ମେଷ ରାଶିର ଲୋକଙ୍କୁ ୨୦୩୨ ପର୍ଯ୍ୟନ୍ତ ଏହାର ପ୍ରଭାବ ଭୋଗିବାକୁ ପଡ଼ିପାରେ।

କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେସାତୀ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏହି ଅନ୍ତିମ ପର୍ଯ୍ୟାୟ ଶେଷ ହେବା ସହ ଜୀବନରେ ଚାଲିଥିବା ଅନେକ ସମସ୍ୟାରୁ ଆଶ୍ୱସ୍ତି ମିଳିବାର ଆଶା ରହିଛି। ଶନି ୩ ଜୁନ ୨୦୨୭ରେ ମେଷ ରାଶିରେ ପ୍ରବେଶ କଲେ କୁମ୍ଭ ରାଶିର ଲୋକଙ୍କ ସାଢେସାତୀ ଶେଷ ହେବ ବୋଲି ଜ୍ୟୋତିଷୀୟ ଗଣନା କହୁଛି। ଏହାପରେ ଏହି ରାଶିର ଲୋକଙ୍କୁ ଶନିଙ୍କ ସାଢେସାତୀରୁ ମୁକ୍ତି ମିଳିବ।

ଶନି ବର୍ତ୍ତମାନ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ଫଳରେ ମୀନ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢେସାତୀର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଜ୍ୟୋତିଷ ମତରେ, ଏହି ସମୟରେ ଆର୍ଥିକ ସମସ୍ୟା, କ୍ୟାରିୟରରେ ଚ୍ୟାଲେଞ୍ଜ ଓ ବିଭିନ୍ନ ପ୍ରକାରର ଚାପ ସାମ୍ନା କରିବାକୁ ପଡ଼ିପାରେ। ଜ୍ୟୋତିଷୀୟ ଗଣନା ଅନୁସାରେ, ଅଗଷ୍ଟ ୨୦୨୯ରେ ମୀନ ରାଶିର ଲୋକଙ୍କୁ ଶନିଙ୍କ ସାଢେସାତୀରୁ ଆଶ୍ୱସ୍ତି ମିଳିବ।

ଜ୍ୟୋତିଷୀମାନଙ୍କ ମତରେ, ସାଢେସାତୀ ସମୟରେ ଶନିଙ୍କ ଆଶୀର୍ବାଦ ପାଇବା ପାଇଁ ଶନିବାର ଶନି ମନ୍ଦିରକୁ ଯାଇ ସୋରିଷ ତେଲ ଓ କଳା ତିଳ ଅର୍ପଣ କରିପାରିବେ। ଏହା ସହ ସୋରିଷ ତେଲର ଦୀପ ଜଳାଇବା ଏବଂ ନିୟମିତ ହନୁମାନ ଚାଳିଶା ପାଠ କରିବାକୁ କୁହାଯାଏ। ଏଥିସହ କଳା ବିରି, ସୋରିଷ ତେଲ, କଳା ତିଳ ଓ କଳା ବସ୍ତ୍ର ଭଳି ସାମଗ୍ରୀ ଆବଶ୍ୟକତା ଥିବା ଲୋକଙ୍କୁ ଦାନ କରିବାକୁ ମଧ୍ୟ ଜ୍ୟୋତିଷରେ ପରାମର୍ଶ ଦିଆଯାଏ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।