ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

Aug 29, 2026 - 10:31
ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ ପରିବେଶରେ ପାଠ ପଢ଼ୁଛନ୍ତି।

୧୯୬୧ ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟର ପୁରୁଣା କୋଠାଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ସହ କାନ୍ଥରେ ବଡ଼ ବଡ଼ ଫାଟ ଦେଖାଦେଇଛି। କାଠ ଛାତ ମଧ୍ୟ ଭାଙ୍ଗି ଝୁଲୁଥିବାରୁ ଦୁର୍ଘଟଣା ଆଶଙ୍କା ରହିଛି। ଅନ୍ୟପଟେ ଶୌଚାଳୟ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ପୁରୁଣା ଶୌଚାଳୟ ବ୍ୟବହାର ଅନୁପଯୋଗୀ। ବର୍ଷା ସମୟରେ ଏହା ସମ୍ମୁଖରେ ପାଣି ଜମି ରହୁଛି।

ଏଥିସହ ବିଦ୍ୟାଳୟର ନଳକୂପ ପାଣି କିଛି ସମୟ ପରେ ହଳଦିଆ ହୋଇଯାଉଥିବାରୁ ପାନୀୟ ଜଳର ମାନକୁ ନେଇ ଚିନ୍ତା ବଢ଼ିଛି। ସମସ୍ୟା ସମ୍ପର୍କରେ ବିଇଓ ଓ ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।

ଏନେଇ ସମ୍ବଲପୁର ଡିଇଓ ଲକ୍ଷ୍ମଣ ଭୋଇଙ୍କୁ ପଚାରିବାରୁ ସେ ସମସ୍ୟାକୁ ଗମ୍ଭୀରତାର ସହ ନେଇ ଶୀଘ୍ର ସ୍ଥାୟୀ ସମାଧାନ କରାଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।