ଭାରତକୁ ଚେତାବନୀ ଦେଲା ଚାଇନା: ସୀମା ଉତ୍ତେଜନା ମଧ୍ୟରେ ବେଜିଂର ବଡ଼ ବୟାନ
ନୂଆଦିଲ୍ଲୀ,୨୬।୧୦: ଭାରତ ଓ ଚାଇନା ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ମଧ୍ୟରେ ଚୀନ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସୀମାରେ ନିକଟରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ଟକ୍କର ହୋଇଥିବା ଖବର ଚର୍ଚ୍ଚାକୁ ଆସିବା ପରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ କହିଛନ୍ତି, ଚାଇନା ସେନା ସୀମାବର୍ତ୍ତୀ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଛି। ଏଥିସହ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ସମ୍ମାନ ଦେବାକୁ ସେ ଭାରତକୁ ଆହ୍ବାନ ଦେଇଛନ୍ତି।
ଜିଆକୁନ କହିଛନ୍ତି, ଚାଇନା ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଓ ସହମତିକୁ କଡ଼ାକଡ଼ି ଭାବେ ପାଳନ କରିଆସୁଛି। ଆଞ୍ଚଳିକ ସାର୍ବଭୌମତ୍ୱ ଏବଂ ସୀମାରେ ସ୍ଥିରତା ବଜାୟ ରଖିବା ପାଇଁ ଚୀନ ସୀମାନ୍ତ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରିବା ସହ ସୀମା ପରିଚାଳନା କରୁଛି। ଭାରତ ସହ କୂଟନୈତିକ ଆଲୋଚନା ଜାରି ରଖିବାକୁ ଚାଇନା ପ୍ରସ୍ତୁତ। ଭାରତ ମଧ୍ୟ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାକୁ ଗୁରୁତ୍ୱ ଦେବ ଏବଂ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଠୋସ ପଦକ୍ଷେପ ନେବ।
ଚୀନ୍ର ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଭାରତ-ଚାଇନା ସୀମାରେ ସୈନିକଙ୍କ ମଧ୍ୟରେ ଟକ୍କରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଭାରତ-ଚାଇନା ସୀମାରେ ସାମ୍ପ୍ରତିକ ଘଟଣାକୁ ନେଇ ଇଣ୍ଡୋ-ତିବ୍ବତୀୟ ବର୍ଡର ପୋଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁରଙ୍କ ବୟାନ ପରେ ଏହି ପ୍ରସଙ୍ଗ ଅଧିକ ଚର୍ଚ୍ଚାକୁ ଆସିଥିଲା।
ଶତ୍ରୁଜିତ କପୁର କହିଥିଲେ, ଅରୁଣାଚଳ ପ୍ରଦେଶ ସୀମାରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଅନେକ ଥର ଟକ୍କର ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ଯବାନମାନେ ଦୃଢ଼ତାର ସହ ନିଜ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ଏହି ବୟାନ ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ।
ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦୀର୍ଘଦିନ ଧରି ରହିଆସିଛି। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ଆଲୋଚନା, ପାଟ୍ରୋଲିଂ ସମ୍ପର୍କିତ ବୁଝାମଣାର ପାଳନ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।