ଭାରତୀୟ ବାୟୁସେନାରେ ଇତିହାସ ରଚିଲେ ଭାବନା କାନ୍ତ, ପ୍ରଥମ ମହିଳା ଫାଇଟର କମ୍ବାଟ୍ ଲିଡର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ସ୍କ୍ୱାଡ୍ରନ ଲିଡର ଭାବନା କାନ୍ତ। ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ସେ ‘ଫାଇଟର କମ୍ବାଟ୍ ଲିଡର’ (ଏଫ୍ସିଏଲ୍) ଯୋଗ୍ୟତା ହାସଲ କରିଛନ୍ତି। ୨୦୨୬ ଅଗଷ୍ଟରେ ଗ୍ୱାଲିୟରସ୍ଥିତ ଟାକ୍ଟିକ୍ସ ଆଣ୍ଡ ଏୟାର କମ୍ବାଟ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଟିଏସିଡିଇ)ରେ ଉନ୍ନତ ଯୁଦ୍ଧକୌଶଳ ପ୍ରଶିକ୍ଷଣ ସମାପ୍ତ କରି ସେ ଏହି ସଫଳତା ପାଇଛନ୍ତି। ଏହା ଭାରତୀୟ ସାମରିକ ବିମାନ ଚାଳନା କ୍ଷେତ୍ରରେ ମହିଳାଙ୍କ ଅଗ୍ରଗତିର ଆଉ ଏକ ମାଇଲଖୁଣ୍ଟ।
ବିହାରର ଦରଭଙ୍ଗା ଜିଲ୍ଲାରେ ଜନ୍ମିତ ଭାବନାଙ୍କ ପିଲାଦିନରୁ ଆକାଶରେ ଉଡ଼ୁଥିବା ବିମାନ ପ୍ରତି ଗଭୀର ଆକର୍ଷଣ ଥିଲା। ଛୋଟବେଳେ ଆକାଶରେ ଜେଟ୍ ବିମାନ ଦେଖି ତାହା ପଛରେ ଦୌଡ଼ିବାର ସ୍ମୃତି ତାଙ୍କ ଉଡ଼ାଣ ପ୍ରତି ଆଗ୍ରହକୁ ଆହୁରି ବଢ଼ାଇଥିଲା। ପରବର୍ତ୍ତୀ ସମୟରେ ସେ ମେଡିକାଲ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିଥିଲେ। ମହିଳାମାନେ ଯୁଦ୍ଧବିମାନ ଚାଳନା କରିପାରିବେ ନାହିଁ ବୋଲି ପୂର୍ବରୁ ଥିବା ଧାରଣା ସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ୨୦୧୬ ଜୁନ୍ରେ ଭାବନା କାନ୍ତ, ଅବନୀ ଚତୁର୍ବେଦୀ ଓ ମୋହନା ସିଂହ ଭାରତୀୟ ବାୟୁସେନାର ପ୍ରଥମ ତିନିଜଣ ମହିଳା ଫାଇଟର ପାଇଲଟ୍ଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଏହା ଦେଶର ସାମରିକ ବିମାନ ଚାଳନା କ୍ଷେତ୍ରରେ ମହିଳାଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା। ୨୦୧୯ରେ ଭାବନା ଯୁଦ୍ଧବିମାନରେ ଦିବାକାଳୀନ ଯୁଦ୍ଧ ଅଭିଯାନ ପାଇଁ ଅନୁମତି ପାଇଥିବା ପ୍ରଥମ ଭାରତୀୟ ମହିଳା ଫାଇଟର ପାଇଲଟ୍ ହୋଇଥିଲେ। ପରେ ସେ ମିଗ୍-୨୧ ବାଇସନ୍ ଓ ସୁଖୋଇ-୩୦ ଏମ୍କେଆଇ ଭଳି ଯୁଦ୍ଧବିମାନ ଚାଳନା କରିଥିଲେ। ୨୦୨୧ରେ ଗଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିବାରେ ମଧ୍ୟ ସେ ପ୍ରଥମ ମହିଳା ଫାଇଟର ପାଇଲଟ୍ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।