ଭିଜିଲାନ୍ସ ଜାଲ ରେ ପୂର୍ତ୍ତ ବିଭାଗ ଏଇଇ ,ଏକ କାଳୀନ ୧୦ଟି ସ୍ଥାନରେ ଚଢ଼ାଉ
ବାରିପଦା : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପୂର୍ତ୍ତ ବିଭାଗ (R&B) ଡିଭିଜନ୍ ଅଧୀନ ବେତନଟୀ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅରବିନ୍ଦ ମହାନ୍ତିଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଚାଲିଛି । ବାରିପଦା ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ବାଲେଶ୍ୱର, ଖୋର୍ଦ୍ଧା ଓ ମୟୂରଭଞ୍ଜର ୧୦ଟି ସ୍ଥାନରେ ଏକକାଳୀନଏହି ସର୍ଚ୍ଚ ଅପରେସନ କରାଯାଉଛି ।
ସୂଚନା ଅନୁଯାୟୀ, ଅରବିନ୍ଦ ମହାନ୍ତିଙ୍କ ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ୩ ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ୨ ମହଲା କୋଠା, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ବାଲେଶ୍ୱର ଜଳେଶ୍ୱର ରାୟାଁ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମହାଉସ୍ ଓ ବାମପଦାରେ ଥିବା ଅନ୍ୟ ଏକ ଘରେ ମଧ୍ୟ ତଲାସୀ ଚାଲିଛି ।
ଏଥିସହ ଅରବିନ୍ଦଙ୍କ ଘନିଷ୍ଠ ସହଯୋଗୀଙ୍କ ଅଙ୍ଗାରଗଡ଼ିଆସ୍ଥିତ ଘର, ଅନ୍ୟ ଜଣେ ସହଯୋଗୀଙ୍କ ବୈଶିଙ୍ଗାସ୍ଥିତ ଘର ଏବଂ ଆଉ ଜଣେ ସହଯୋଗୀଙ୍କ ବାମପଦାସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସୀ କରୁଛି । ଚଢ଼ାଉ ବେଳେ ଭିଜିଲାନ୍ସ ଟିମ୍ ଅରବିନ୍ଦ ମହାନ୍ତିଙ୍କ ବାରିପଦା ଘରୁ ୨ଲକ୍ଷ ଟଙ୍କା ନଗଦ ସହ ପୁଳା ପୁଳା ସୁନା ସହିତ ବିଭିନ୍ନ ବେଆଇନ ସମ୍ପତ୍ତି ଓ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।