ଭିଜିଲାନ୍ସ ଜାଲରେ ବଲାଙ୍ଗିର ସରକାରୀ ଆଇଟିଆଇ ପ୍ରିନ୍ସିପାଲ

Nov 07, 2026 - 15:40
ଭିଜିଲାନ୍ସ ଜାଲରେ ବଲାଙ୍ଗିର ସରକାରୀ ଆଇଟିଆଇ ପ୍ରିନ୍ସିପାଲ

ବଲାଙ୍ଗୀର : ବଲାଙ୍ଗିର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପ୍ରିନ୍ସିପାଲ । ବଲାଙ୍ଗିର ରେଳ ଷ୍ଟେସନରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ  ହାତରେ ଧରା ପଡିଛନ୍ତି ଆଇଟିଆଇ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା । ଆଇଟିଆଇରେ ଅସ୍ଥାୟୀ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନଅ ଜଣ ପ୍ରଶିକ୍ଷକଙ୍କ ବକେୟା ଦରମା କରାଇ ଦେବାକୁ ଏହି ଲାଞ୍ଚ ନେଉଥିଲେ । ପ୍ରଶିକ୍ଷକ ମାନଙ୍କ ଠାରୁ ଏକ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁରେଶ ଦଳବେହେରା । ନ ହେଲେ ଚାକିରିରୁ ବହିଷ୍କାର କରିବାର ମଧ୍ୟ ଧମକ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ, ବଲାଙ୍ଗିର ରେଳ ଷ୍ଟେଶନ ନିକଟରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଅର୍ଥର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ପ୍ରିନ୍ସିପାଲ୍‌ଙ୍କୁ ରେଡ୍‌ହାଣ୍ଡେଡ୍ କାବୁ କରିଥିଲା । ଜବତ ହୋଇଛି ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା।

ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ୧୧ଟି ପ୍ଲଟ ସହ ୫ଲକ୍ଷ ୧୬ହଜାର ଟଙ୍କା ଜବତ ହୋଇଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆଗେଇ ଚାଲିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।